Odisha Link
Bridging the Missing Links in Odisha

୨୦ ହଜାର ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, ଆସନ୍ତା ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଓଏଲ୍‌ ବ୍ୟୁରୋ: ୨୦ ହଜାର ପ୍ରାଥମିକ ଶିକ୍ଷକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ୍‌) ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ୱେବସାଇଟ୍‌ରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୩ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ ଓସେପା ୱେବସାଇଟ୍‌ରେ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ। ଅକ୍ଟୋବର ୧୦ ଆବେଦନର ଶେଷ ତାରିଖ। ଏହି ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ଅନଲାଇନରେ ହେବ। ଓସେପା ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଓସେପା ଡଟ୍ ଓଡ଼ିଶା ଡଟ୍ ଗଭ୍ ଡଟ୍ ଇନରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁସାରେ, କମ୍ପ୍ୟୁଟର ବେସ୍ଡ ଟେଷ୍ଟ ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ପ୍ରାର୍ଥୀ ଚୟନ କରାଯିବ। ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଓସେପା ୱେବସାଇଟରେ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରାଯିବ। ଅନଲାଇନରେ ଆବେଦନ ପ୍ରକ୍ରିୟାରେ ସମସ୍ୟା ହେଲେ ଏକ ଯୋଗାଯୋଗ ନମ୍ବର ମଧ୍ୟ ଦିଆଯାଇଛି।

ହେଲ୍ପ ଡେସ୍କ ନମ୍ବର ୭୩୫୩୯୨୭୭୭୯ ନମ୍ବରରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଯୋଗାଯୋଗ କରିହେବ। ଏହି ନିଯୁକ୍ତି ଦ୍ୱାରା ରାଜ୍ୟର ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବା ସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ ହେବ। ଓସେପାରେ ୱେବସାଇଟ୍‌ରେ ନିଯୁକ୍ତି ପାଇଁ ଜିଲ୍ଲାୱାରୀ ପଦବୀ, ଲିଖିତ ପରୀକ୍ଷାର ସିଲାବସ୍‌, କେଉଁ କେଉଁ ତଥ୍ୟ ଅପଲୋଡ୍ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି।

Leave A Reply

Your email address will not be published.