Odisha Link
Bridging the Missing Links in Odisha

ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ: ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ସ୍କୁଲ, କଲେଜକୁ ୫-ଟିରେ ସାମିଲ କରାଯାଇ ରୂପାନ୍ତରଣ କରାଯାଉଛି। ଛାତ୍ରଛାତ୍ରୀଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସଭା ସମିତିରେ ଘୋଷଣା କରାଯାଉଛି। କିନ୍ତୁ ପିଲାଙ୍କ ପାଠପଢ଼ାରେ ଯେଉଁ ଶିକ୍ଷକମାନେ ମୁଖ୍ୟ ଭୂମିକା ତୁଲାଇଥାନ୍ତି, ସେମାନଙ୍କ ଆନ୍ଦୋଳନକୁ ନେଇ ରାଜ୍ୟରେ ବିଚିତ୍ର ବ୍ୟବସ୍ଥା ସୃଷ୍ଟି ହୋଇଛି। ତେବେ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କ ଅଧିକାର ଅଛି, କିନ୍ତୁ ନିଜ ଦାବି ପୂରଣ ପାଇଁ ଅନ୍ୟର ହକ୍ ଛଡ଼େଇ ନେବା ଅନୁଚିତ୍।

ଅନ୍ୟପଟେ, ବିଭିନ୍ନ ଦାବି ନେଇ ଶିକ୍ଷକମାନେ ଆନ୍ଦୋଳନରେ ବସିଥିବାବେଳେ, ବନ୍ଦ ହୋଇ ଯାଇଛି ପ୍ରାୟ ୪୦ଲକ୍ଷ ପିଲାଙ୍କ ପାଠ ପଢ଼ା। ତେବେ ଆନ୍ଦୋଳନରତ ଶିକ୍ଷକଙ୍କୁ ସରକାର ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏନେଇ ଲୋକସେବା ଭବନରେ ବୈଠକ ହୋଇଥିଲା। ଅର୍ଥମନ୍ତ୍ରୀ ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ହୋଇଥିଲା। ଏଥିରେ ପ୍ରାଥମିକ ଶିକ୍ଷକ ସଂଘର ସଦସ୍ୟ ଯୋଗ ଦେଇଥିଲେ।

ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଅର୍ଥମନ୍ତ୍ରୀ କହିଥିଲେ, ଶିକ୍ଷକମାନଙ୍କ ଦାବି ସମ୍ପର୍କରେ ସରକାର ଅବଗତ ଅଛନ୍ତି। ସହୃଦୟତାର ସହ ବିଚାର କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷକମାନେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅର୍ଥମନ୍ତ୍ରୀ ଅପିଲ କରିଥିଲେ।

ସୂଚନା ଅନୁସାରେ, ଆଜିକୁ ୧୦ଦିନ ହେବ ରାଜ୍ୟରେ ଶିକ୍ଷକ ଆନ୍ଦୋଳନ ଚାଲିଛି। ଆନ୍ଦୋଳନ କରୁଥିବା ଶିକ୍ଷକଙ୍କ ପାଇଁ ସବୁ ଡିଇଓ, ବିଏଓଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ଲେଖିଥିଲେ। ବର୍ଷକୁ ୨୨୦ ଦିନ ସ୍କୁଲ ଆସିବା ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ। ଏହା ପୂରଣ ନହେଲେ ପରବର୍ତ୍ତୀ ସମୟରେ ଶିକ୍ଷକମାନେ ଭରଣା କରିବେ। ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ତୁରନ୍ତ ଆନ୍ଦୋଳନ ବନ୍ଦ କରି କାମରେ ଯୋଗ ଦେବାକୁ ଅପିଲ କରିଥିଲେ।

Leave A Reply

Your email address will not be published.