ରାଉରକେଲା ସହକାରୀ ଜିଲ୍ଲାପାଳ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଓଏଲ୍ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ସନ୍ଦେହ ବଢୁଥିବାବେଳେ ସାମ୍ନାକୁ ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ରାଉରକେଲା ସହକାରୀ ଜିଲ୍ଲାପାଳ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ସୁସ୍ମିତା ରହୁଥିବା ହୋଟେଲରୁ ଦୁଇଟି ସିସିଟିଭି ପୁଲିସ ଜବତ କରିଥିଲା। ସିିସିଟିଭି ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି। ଏହାରି ମଧ୍ୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ସୁସ୍ମିତା ମଞ୍ଜଙ୍କ ମୃତଦେହ ନିକଟରୁ ୫ହଜାର ଟଙ୍କା ଓ ଗୋଟିଏ ମୁଦି ଜବତ କରିଥିଲା।
ମିଳିଥିବା ସୂଚନା ମୁତାବକ ସୁସ୍ମିତା ବିବାହର କିଛି ମାସ ପରେ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ। ରାଜଗାଙ୍ଗପୁର ରାମବାହାଲସ୍ଥ ଘରୁ ପ୍ରତିଦିନ ରାଉରକେଲା ଏଡିଏମ୍ ଅଫିସକୁ ଆସୁଥିଲେ। ସଂଧ୍ୟାରେ କାମ ସାରି ଘରକୁ ଫେରୁଥିଲେ। ହେଲେ ୧୬ ତାରିଖରେ ଏଡିଏମ୍ ଅଫିସ୍ରେ ବୈଠକ ଆଳ ଦେଖାଇ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ପରଦିନ ଅର୍ଥାତ୍ ୧୭ ତାରିଖ ସକାଳେ ତାଙ୍କ ଭାଇ ସନ୍ଦୀପ ଭଉଣୀଙ୍କୁ ଖୋଜିବାକୁ ପୁଣି ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍କୁ ଆସିଥିଲେ। ନ ପାଇବାରୁ ଉଦିତନଗର ଥାନାରେ ତାଙ୍କ ଭଉଣୀ ନିଖୋଜ ହୋଇ ଯାଇଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ।