Odisha Link
Bridging the Missing Links in Odisha

ମୋ ସରକାର ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦିଏ: ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଗୃହ ଆରମ୍ଭରୁ ଜିଲ୍ଲାରୁ ଜିଲ୍ଲା ବୁଲି ସିଏମଓ ଲୋକଙ୍କ ଠାରୁ ଅଭିଯୋଗପତ୍ର ଆଣିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ଯେଉଁ ପ୍ରସଙ୍ଗରେ ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନବୀନ ପଟ୍ଟନାୟକ କହିଛନ୍ତି, ମୋ ସରକାର ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦିଏ। କୋଭିଡ ପୂର୍ବରୁ ଜନ ଶୁଣାଣି ଭୁବନେଶ୍ୱରରେ ହେଉଥିଲା।କିନ୍ତୁ ୨ ବର୍ଷର କୋଭିଡ ସ୍ଥିତି ଏଥିରେ ସମସ୍ୟା ସୃଷ୍ଟି କଲା। ଯେଉଁଥିପାଇଁ ସିଏମଓକୁ ଲୋକଙ୍କ ପାଖରେ ପହଞ୍ଚାଇ ଅଭିଯୋଗର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲି।ଯେଉଁଥିପାଇଁ ସିଏମଓର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲି। ସବୁ ବ୍ଲକ ଓ ସହରାଞ୍ଚଳରେ ପହଞ୍ଚି ସମସ୍ୟା ଶୁଣିବାକୁ କହିଥିଲି। ସମସ୍ତ ଜିଲ୍ଲାରେ ସିଏମଓ ପକ୍ଷରୁ ଜନ ଶୁଣାଣି କରାଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୬ ମାସ ମଧ୍ୟରେ ୧୯୦ଟି ସ୍ଥାନରେ ହୋଇଛି ଜନ ଶୁଣାଣି। ଏହି ସମୟରେ ମୋଟ ୫୭୪୪୨ଟି ଅଭିଯୋଗପ୍ରତ ସଂଗ୍ରହ କରାଯାଇଛି। ଯେଉଁମଧ୍ୟରୁ ୪୩୫୩୬ଟି ଅଭିଯୋଗର ସମାଧାନ ହୋଇଛି। ପୂରା ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି। ବିଭିନ୍ନ ଜିଲ୍ଲାରୁ ଆସୁଥିବା ଅଭିଯୋଗର ସମାଧାନ କ୍ଷେତ୍ରରେ ବିଭାଗୀୟ ମନ୍ତ୍ରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ଗାଣତନ୍ତ୍ରିକ ବ୍ୟବସ୍ଥାରେ ଟିମୱାର୍କ ଜରିଆରେ ଲୋକଙ୍କ ଅଭିଯୋଗର ସମାଧାନ କରିବା ହିଁ ଆମର ମୂଳ ଲକ୍ଷ୍ୟ। ଏହି ଅଭିଯୋଗପତ୍ର ଦାଖଲ କରିବାକୁ ଲୋକେ ଭୁବନେଶ୍ୱର ଆସିଥିଲେ ଖର୍ଚ୍ଚାନ୍ତ ହେବା ସହ ସମୟ ନଷ୍ଟ ହୋଇଥାନ୍ତା। ସିଏମଓ ଏହି ଅଭିଯୋଗପତ୍ର ଗ୍ରାଉଣ୍ଡକୁ ଯାଇ ଗ୍ରହଣ କରିବା ଦ୍ୱାରା ଲୋକଙ୍କ ସମୟ ବଞ୍ଚିବା ସହ ଖର୍ଚ୍ଚାନ୍ତ ହେବାରୁ ବଞ୍ଚିଥିଲେ।

ଏପରିକି ବିରୋଧୀ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହାକୁ ନେଇ ନବୀନ କହିଛନ୍ତି, ଏହି ପୂରା ପ୍ରକ୍ରିୟାରେ ସଚିବ ବନାମ ମନ୍ତ୍ରୀ ପ୍ରସଙ୍ଗ ଉଠୁନାହିଁ। କରୋନା ସମୟରେ ମଧ୍ୟ ସିଏମଓକୁ ପଠାଇ କରୋନା ପରିଚାଳନା କରିଥିଲୁ। କରୋନା ସମୟରେ ସିଏମଓର ଅଧିକାରୀ ଜୀବନକୁ ବାଜି ଲଗାଇ ଜିଲ୍ଲାରୁ ଜିଲ୍ଲା ବୁଲିଥିଲେ ଏବଂ ସେଠାରୁ ମିଳୁଥିବା ମତାମତ ଆଧାରରେ ତୁରନ୍ତ ପଦକ୍ଷେପ ନିଆଯାଇ ପାରୁଥିଲା। ଯାହାଦ୍ୱାରା ହଜାର ହଜାର ଲୋକଙ୍କର ଜୀବନ ବଞ୍ଚି ପାରିଥିଲା।

Leave A Reply

Your email address will not be published.