Odisha Link
Bridging the Missing Links in Odisha

ଗୃହ ବିବରଣୀରୁ ବାଦ୍ ପଡ଼ିଲା ‘ମେଣ୍ଟାଲ ଡିସ୍‌ଅର୍ଡର’ ଶବ୍ଦ, ୨୮ରେ ଅରୁଣ କହିଥିଲେ…

ଓଏଲ୍‌ ବ୍ୟୁରୋ: ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଅନୁରୂପ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ। ବିରୋଧୀ ଦଳ ନେତାଙ୍କୁ ଅସମ୍ମାନ ଏବଂ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରି ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଯାହାଫଳରେ ବାରମ୍ବାର ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ବିରୋଧୀଙ୍କ ପ୍ରବଳ ଚାପ ପରେ ଶେଷରେ ୟୁ-ଟର୍ଣ୍ଣ ମାରିଛନ୍ତି ସରକାର। ବିଧାନସଭା ଗୃହ ବିବରଣୀରୁ ବାଦ୍ ପଡିଲା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ। ମେଣ୍ଟାଲ ଡିଜଅର୍ଡର ଶବ୍ଦକୁ ବାଦ୍ ଦେବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଶନିବାର ଘୋଷଣା କରିଛନ୍ତି।

ଗତ ୨୮ ତାରିଖରେ ବିଧାନସଭାର ପବିତ୍ର ଗୃହରେ ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ ବ୍ୟବହାର କରିଥିଲେ ନୟାଗଡ଼ ବିଧାୟକ ଅରୁଣ ସାହୁ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଟାର୍ଗଟ କରି ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ ବ୍ୟବହାର କରିଥିଲେ ଶ୍ରୀ ସାହୁ। ବିରୋଧୀଙ୍କ ହୋ ହାଲ୍ଲା ପରେ ଆଜି ବିଧାନସଭା ଗୃହ ବିବରଣୀରୁ ଏହି ଶବ୍ଦକୁ ବାଦ୍ ଦେବାକୁ ବାଚସ୍ପତି ଘୋଷଣା କରିଛନ୍ତି।

ଏହି ଘଟଣାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ବାଚସ୍ପତିଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବା ସହିତ ଏହା ଯଥେଷ୍ଟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା। ନୟାଗଡ ବିଧାୟକ ଏଥିପାଇଁ କ୍ଷମା ମାଗିବା ଦରକାର ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର। ତା ସହିତ ୨ ବିଧାୟକଙ୍କ ଉପରେ ନିଲମ୍ବନ ଉଠାଇବାକୁ ମଧ୍ୟ ନିବେଦନ କରିଛନ୍ତି ଜୟ ନାରାୟଣ ମିଶ୍ର। ସେମାନେ ଗୃହରେ କ’ଣ କହିବେ, ତାଙ୍କ ବିବେକ ଉପରେ ଛାଡ଼ି ଦିଆଯାଉ। ଗୃହକୁ ସୁରୁଖୁରୁରେ ବାଚସ୍ପତି ଚଳାନ୍ତୁ, ସହଯୋଗ କରିବାକୁ ବିରୋଧୀ ଦଳ ପ୍ରସ୍ତୁତ ଅଛି ବୋଲି ଶ୍ରୀ ମିଶ୍ର କହିଥିଲେ।

ଅନ୍ୟପଟେ ଗୃହ ଠିକରେ ଚାଲୁନଥିବା ଅଭିଯୋଗ କରି କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।ବିଜେପି ବିଧାୟକମାନଙ୍କ ହଟ୍ଟଗୋଳ ଓ କଂଗ୍ରେସର କକ୍ଷତ୍ୟାଗ ଯୋଗୁ ଗୃହକୁ ବାଚସ୍ପତି ପୁଣିଥରେ ୨୦ମିନିଟ୍ ପାଇଁ ମୁଲତବୀ ଘୋଷଣା କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଗୃହ ୪ଟା ୯ରୁ ଏକଘଣ୍ଟା ଓ ପରେ ୧୫ମିନିଟ୍ ମୁଲତବୀ ହୋଇଥିଲା।

ସୂଚନାଯୋଗ୍ୟ, ଗୃହ ବାହାରେ ଶାସକ ଦଳ ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ‘ମେଂଟାଲ ଡିସଅର୍ଡର’ ରହିଛି ବୋଲି ସିଧାସଳଖ ଆକ୍ଷେପ କରିଥିଲେ। ଯାହାକୁ ବିରୋଧ କରି ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରାଯାଇଥିଲା।

Leave A Reply

Your email address will not be published.