Odisha Link
Bridging the Missing Links in Odisha

କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କଡ଼ା ପଦକ୍ଷେପ: ଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ୍‌!

ଓଏଲ୍‌ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ପୁଅ ହୋଇଛି କହି ଝିଅ ଧରାଇବା ପରି ସାଂଘାତିକ ଅଭିଯୋଗ ହୋଇଥିଲା। ଏହା ପରେ ଡିଏନ୍‌ଏ ଟେଷ୍ଟ ହୋଇଥିଲା। ରିପୋର୍ଟ ଆସିବା ପରେ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି, ଜଣେ ଲୋକଙ୍କ ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା। ପୁଲିସ ଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ବର୍‌ବାଦ ହେଲା। ଏଭଳି ଲୋକ ବିରୋଧରେ ଯାହା ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି।

ସୂଚନା ଅନୁସାରେ, ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି ଶିଶୁ ବଦଳ ହୋଇଥିବା ଅଭିଯୋଗ ଆଣିଥିଲେ। କେନ୍ଦ୍ରାପଡାର ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ଅଭିଯୋଗ ଅନୁସାରେ ପ୍ରଥମେ ପୁଅ ଜନ୍ମ ହୋଇଥିବା କହି ପରେ ଶିଶୁ କନ୍ୟା ଧରାଇ ଦେଇଥିଲେ ହସ୍ପିଟାଲ କର୍ମଚାରୀ। ପରେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ପୁରା ଘଟଣାର ତନାଘନା କରିଥିଲେ। ଗଠିତ କମିଟିର ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଭୁଲ ବୁଝାମଣା ଯୋଗୁଁ ଏପରି ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଶିଶୁ ଜନ୍ମ ହେବା ପରେ ରଖାଯାଇଥିବା ସମସ୍ତ ପ୍ରମାଣ ଝିଅ ଦର୍ଶାଉଛି।

ଶିଶୁ ଜନ୍ମ ହେବା କ୍ଷଣି ଶିଶୁର ମାଆକୁ ସୂଚନା ଦିଆଯାଇଥିଲା। ଶିଶୁର ପିତା ଝିଅ ଗ୍ରହଣ କରିବାକୁ ରାଜି ନ ଥିବାରୁ ପୁଲିସ ପଦକ୍ଷେପ ନେବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି। ପ୍ରାଥମିକ ଖୋଳତାଡ଼ ପରେ ପ୍ରାଣକୃଷ୍ଣଙ୍କର ଝିଅ ହୋଇଥିବା ହସପିଟାଲ ପକ୍ଷରୁ କୁହାଯାଇଛି। କିନ୍ତୁ ଏହି ଉତ୍ତରରେ ସନ୍ତୁଷ୍ଟ ହୋଇନାହାନ୍ତି ପ୍ରାଣକୃଷ୍ଣ। ଡିଏନଏ ଟେଷ୍ଟ ପାଇଁ ସେ ଦାବି କରିଥିବା ବେଳେ ମାମଲା ଏବେ କ୍ୟାପିଟାଲ୍ ଥାନାରେ ପହଁଚିଛି। ଏହା ପରେ ଘଟଣାର ତଦନ୍ତ କରି ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରାଯାଥିଲା। କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାରେ ରିପୋର୍ଟ ଆସିବା ପରେ ଝିଅ ଜନ୍ମ ହୋଇଥିବା ନେଇ ରିପୋର୍ଟରେ ସ୍ପଷ୍ଟ ଦର୍ଶାଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ଅଭିଯୋଗକାରୀ ଅଭିଯୋଗ ଆଣିଥିଲେ ଯେ, ଗତ ୨୫ ତାରିଖ ରାତି ସାଢ଼େ ୧୦ରେ ପୁଅ ହେଲା ବୋଲି ସୂଚନା ଦେଲେ। ଫଟୋ ଉଠାଇବା ବେଳେ ଝିଅ ହୋଇଥିବା ଦେଖିଲେ ବୋଲି ସେ କହିଛନ୍ତି। ଶିଶୁ ବଦଳ ହୋଇଥିବା ଅଭିଯୋଗ କରିଥିବା ବ୍ୟକ୍ତି କହିଛନ୍ତି, ଡିଏନଏ ଟେଷ୍ଟ ହେଉ, ରିପୋର୍ଟ ନ ଆସିବା ଯାଏଁ ମା’ ଛୁଆଙ୍କୁ ନେବିନି। ତେବେ ଏନେଇ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଗ୍ରହଣକରି ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ଦ୍ଦେଶକ। ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଏକ ଟିମ୍‌ ତଦନ୍ତ କରିବ। ଦରକାର ପଡ଼ିଲେ ଡିଏନଏ ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶକ କହିଥିଲେ।

Leave A Reply

Your email address will not be published.