Odisha Link
Bridging the Missing Links in Odisha

ଇସ୍ରାଏଲକୁ ଭାରତର ସମର୍ଥନ; ଭାରତକୁ ଧନ୍ୟବାଦ ଜଣାଇଲେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧର ପଞ୍ଚମ ଦିନରେ ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଏହାରି ମଧ୍ୟରେ ଭାରତକୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ ଏକ୍ସ ଜରିଆରେ ଧନ୍ୟବାଦ ଜଣାଇଲେ ନେତାନ୍ୟାହୁ। ଇସ୍ରାଏଲକୁ ବିପୁଳ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନେତ୍ରାନ୍ୟାହୁ ଧନ୍ୟବାଦ ଦେଇଛନ୍ତି।

ସୋସିଆଲ ମିଡିଆ ଏକ୍ସ ଜରିଆରେ ଧନ୍ୟବାଦ ଜଣାଇ ନେତାନ୍ୟାହୁ କହିଛନ୍ତି, ଗତ ୪ ଦିନରେ ମିଳିଥିବା ଅତୁଟ ପ୍ରେମ ଓ ସମର୍ଥନ ପାଇଁ ଆମେ କୃତଜ୍ଞ। ଆମେ ଜଣାଇବାକୁ ଚାହିଁଛୁ କି ଆମେ ବ୍ୟକ୍ତିଗତ ଭାବେ ସବୁ ସନ୍ଦେଶ ପଢୁଛୁ। ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଜବାବ ନଦେଇ ପାରିଲେ ବି ସମର୍ଥନ ପଢୁଛୁ। ଆତଙ୍କବାଦୀଙ୍କ ସହ ଲଢ଼େଇରେ ଆମେ ନିଶ୍ଚୟ ଜିତିବୁ।

ଅନ୍ୟପଟେ, ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଥିବାବେଳେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି। ତେବେ ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଥିଲା। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ରାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିପଦ ବେଳେ ସହାୟତା କରିବାକୁ କଥା ଦେଇଛନ୍ତି। ଫିଲସ୍ତାନୀ ଚରମପନ୍ଥୀ ସଂଗଠନ ହମାସ ଦ୍ୱାରା ଶନିବାର ଦିନ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପ୍ରଥମରୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଥିଲେ।

ସୂଚନା ଅନୁସାରେ, ଗତ ଶନିବାର ହମାସ ଆତଙ୍କବାଦୀ ଇସ୍ରାଏଲର ପ୍ରମୁଖ ସହର ଉପରେ ୫ହଜାର ମିସାଇଲ ମାଡ କରିିଥିଲା। ଏହାସହ ଇସ୍ରାଏଲରେ ଅନୁପ୍ରବେଶ କରି ଅନେକ ସାଧାରଣ ନାଗରିକଙ୍କ ହତ୍ୟା କରିବା ସହ ଦୁଇ ଶହରୁ ଅଧିକ ଲୋକଙ୍କୁ ହମାସ ଆତଙ୍କୀ ଅପହରଣ କରିନେଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ଯୁଦ୍ଧ ଡାକରା ଦେଇଛି। ଗାଜା ପଟ୍ଟି ଉପରେ ଇସ୍ରାଏଲ ସେନା ଜୋରଦାର ପାଲଟା ଆକ୍ରମଣ କରୁଛି। ହମାସର ବିଭିନ୍ନ ଠିକଣା ଉପରେ ଖୋଜି ଖୋଜି ଏୟାରଷ୍ଟ୍ରାଇକ୍ କରୁଛି। ଏହାସହ ୩୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.