ଜେଲ୍ ଗଲେ ଲାଞ୍ଚୁଆ ଡାକ୍ତର, ସରିଲା ୫ ଦିନିଆ ରିମାଣ୍ଡ ଅବଧି

ଓଏଲ୍ ବ୍ୟୁରୋ: ୫୦ ହଜାର ଲାଞ୍ଚ ନେବା ପଡିଲା ମହଙ୍ଗା। ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଫିସର ରାଜେନ୍ଦ୍ର ପାଣିଗ୍ରାହୀ ଗିରଫ ହୋଇଛନ୍ତି। କୋଭିଡ କ୍ଲିୟରାନ୍ସ ପାଇଁ କ୍ରିଉ ମେମ୍ବରଙ୍କ ଠାରୁ ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଲାଞ୍ଚ ନେଉଥିଲେ। ସିବିଆଇ ଦ୍ୱାରା ଗିରଫ ଡାକ୍ତରଙ୍କ ୫ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ଗିରଫ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିବାବେଳେ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ରିମାଣ୍ଡ ଅବଧି ସରିବା ପରେ ଜେଲ୍ ଗଲେ ଲାଞ୍ଚୁଆ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀ।
ସୂଚନା ଅନୁସାରେ, କୋଭିଡ କ୍ଲିୟରାନ୍ସ ପାଇଁ କ୍ରିଉ ମେମ୍ବରଙ୍କ ଠାରୁ ୫୦ ହଜାର ଲାଞ୍ଚ ନେଇ ଧରାପଡ଼ିବା ପରେ ସିବିଆଇ ପକ୍ଷରୁ ଚଢ଼ାଉ ଜାରି ରହିଥିଲା। ପାରାଦୀପରେ ଅଫିସ୍ ଓ ଭଡ଼ା ଘର ସହ ବାଲେଶ୍ୱର ଓ କଟକରେ ବି ଚଢ଼ାଉ ହୋଇଥିଲା। ପ୍ରାୟ କୋଟିଏ ଟଙ୍କା ସହ ବିପୁଳ ପରିମାଣର ଡଲାର ମିଳିଥିବା ସୂଚନା ରହିଛି। ବିଦେଶୀ ମଦ ଓ ଦାମୀ ସିଗାରେଟ୍ ମଧ୍ୟ ମିଳିଥିବା ସୂଚନା ରହିଛି। ଏହି ମାମଲାରେ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ସିବିଆଇ ଗିରଫ କରିଛି।
ବନ୍ଦର ସ୍ବାସ୍ଥ୍ୟ ସଂଗଠନ(ପିଏଚ୍ଓ)ର ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ କେଉଁ ଉପାୟରେ ୨୦,୫୫୮ ଡଲାର(ପ୍ରାୟ ୧୭ ଲକ୍ଷ ଟଙ୍କା) ଠୁଳ କଲେ, ସେ ନେଇ ଖୋଳତାଡ଼ ଚଳାଇଛି ସିବିଆଇର ତଦନ୍ତକାରୀ ଟିମ୍। ଡାକ୍ତର ପାଣିଗ୍ରାହୀ ଲାଞ୍ଚ ଆକାରରେ ଡଲାର ନେଉଥିବା ସିବିଆଇ ସନ୍ଦେହ କରି ତଦନ୍ତ ଚଳାଇଥିବା ତଦନ୍ତକାରୀ ଦଳ ସନ୍ଦେହ କରୁଛନ୍ତି। ଏପରିକି ପୂର୍ବରୁ ବହୁ ପରିମାଣର ଡଲାର ନେଇ ତାହାକୁ ଭାରତୀୟ ମୁଦ୍ରାରେ ବଦଳ କରି ବ୍ୟାଙ୍କରେ ଜମା ରଖିଥିବା ସନ୍ଦେହ କରାଯାଉଛି। ଜବତ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଗାଯାଇଥିବା ସୂଚନା ମିଳିଛି।