Odisha Link
Bridging the Missing Links in Odisha

ଆନ୍ଧ୍ର-ଓଡ଼ିଶା ଟ୍ରେନ ଟ୍ରାଜେଡି: ସ୍ପଷ୍ଟୋକ୍ତି ରଖିଲେ ସିପିଆର୍‌ଓ

ଓଏଲ୍‌ ବ୍ୟୁରୋ: ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ରବିବାର ରାତିରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ଏପର୍ଯ୍ୟନ୍ତ ୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ରେଳ କର୍ମଚାରୀ ରହିଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରୁ ଏଯାଏ ୧୧ ଜଣଙ୍କର ପରିଚୟ ମିଳିଛି। ଅନ୍ୟ ୩ ଯାତ୍ରୀଙ୍କର ଏଯାଏଁ ପରିଚୟ ମିଳିପାରିନାହିଁ। ମୃତକଙ୍କ ମଧ୍ୟରେ ଓଡ଼ିଶାରୁ କେହି ନଥିବା ସୂଚନା ରହିଛି।

ଟ୍ରେନ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ନେଇ ସିପିଆର୍‌ଓ ସ୍ପଷ୍ଟୋକ୍ତି ରଖିଛନ୍ତି। ସେ କହିଛନ୍ତି, ଉଦ୍ଧାର କାର୍ଯ୍ୟ ସରିଛି, ଫସିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ କୌଣସି ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ବଗି ତଳେ ନାହାନ୍ତି। ରେଲୱେ ସେଫ୍ଟି କମିଶନର ଘଟଣା ସ୍ଥଳକୁ ଯାଉଛନ୍ତି। ସିଆର୍‌ଏସ୍‌ ବିଶାଖାପାଟଣାରେ ପହଞ୍ଚିଲେ ଶୀଘ୍ର ଘଟଣା ସ୍ଥଳ ଯିବେ। ତଦନ୍ତ ଲାଗି ଖୁବ୍‌ ଶୀଘ୍ର ଘଟଣା ସ୍ଥଳରେ ପହଞ୍ଚିବେ ବୋଲି ସିପିଆର୍‌ଓ କହିଛନ୍ତି।

ଅନ୍ୟପଟେ, ଟ୍ରେନ୍‌ ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୩୩ଟି ଟ୍ରେନ୍‌ ବାତିଲ ହୋଇଛି। ଟ୍ରେନ୍ ଦୁର୍ଘଟଣାରେ ଅନେକ କ୍ଷୟକ୍ଷତି ଘଟିଛି। ଟ୍ରାକ୍ ଉପରେ ପଡିରହିଛି ବଗି। ଏନେଇ ଅନେକ ଟ୍ରେନକୁ ବାତିଲ୍ କରାଯାଇଥିବା ବେଳେ ଅନେକ ଟ୍ରେନର ଗତିପଥକୁ ବଦଳାଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ମରାମତି କାମକୁ ଜୋରଦାର କରାଯାଇଛି। ୮ଶହରୁ ୯ଶହ ଲୋକ ନିୟୋଜିତ କରାଯାଇଛି।

ଦୁର୍ଘଟଣା ଘଟିଥିବା ସ୍ଥାନରେ ଅପରାହ୍ନ ୪ଟା ସୁଦ୍ଧା ଟ୍ରାକ୍ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଉଦ୍ଧାର କାର୍ଯ୍ୟ ପରେ ମରାମତି କାମକୁ ଜୋରଦାର କରାଯାଇଛି। ବୈଷୟିକ ଟିମ୍ ପକ୍ଷରୁ ମରାମତି କାମ ଚାଲିଛି। କ୍ରେନ୍ ସହାୟତାରେ କୋଚ୍ ଗୁଡିକୁ ଉଠାଯାଉଛି। ପୁନରୁଦ୍ଧାର କାର୍ଯ୍ୟରେ ୮ଟି ପ୍ରୋକ୍ଲେନ୍ ମେସିନକୁ ନିୟୋଜିତ କରାଯାଇଛି। ୧୪୦ ଟନର ରେଳ କ୍ରେନ୍ ନିୟୋଜିତ କରାଯାଇଛି। ୮ଶହରୁ ୯ଶହ ମାନବ ନିୟୋଜିତ କରାଯାଇଛି। ତେବେ ଖୁବ ଶୀଘ୍ର ଦୁର୍ଘଟଣା ସ୍ଥଳ ମରାମତି ଶେଷ ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.