Odisha Link
Bridging the Missing Links in Odisha

ଟନେଲ୍ ଭିତରେ ୪୧ ଜୀବନ: ଉତ୍ତରାଖଣ୍ଡ ଅଭିମୁଖେ ଶ୍ରମିକଙ୍କ ସମ୍ପର୍କୀୟ

ଓଏଲ୍‌ ବ୍ୟୁରୋ: ଟନେଲ୍ ଭିତରେ ମିଶନ ଜୀବନ। ଆଶା ଆଉ ଆଶଙ୍କା ମଧ୍ୟରେ ଆଉ ମାତ୍ର କିଛି ସମୟର ଅପେକ୍ଷା। ହଟିବ ଟନେଲର ଅନ୍ଧାର ଆଉ ବଞ୍ଚିବ ୪୧ ଜୀବନ। ଏହା ସହ ୧୩ ଦିନ ପରେ ଆଲୋକ ଦେଖିବେ ଶ୍ରମିକ। ଟନେଲ ତଳେ ଫସିରହିଥିବା ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାରୁ ପାଞ୍ଚ ଜଣ ରହିଛି। ତେବେ ଉତ୍ତରାଖଣ୍ଡ ଅଭିମୁଖେ ଟନେଲ୍ ଶ୍ରମିକଙ୍କ ସମ୍ପର୍କୀୟ। ଟନେଲରେ ଫସିରହିଥିବା ମୟୂରଭଞ୍ଜ ଜିଲ୍ଲାର ଶ୍ରମିକଙ୍କ ସମ୍ପର୍କୀୟଙ୍କୁ ନିଆଗଲା। ରାଜ୍ୟ ସରକାରଙ୍କ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ନିଆଯାଉଛି। ପ୍ରଥମେ ଭୁବନେଶ୍ବର ଆସିବେ, ବିମାନ ଯୋଗେ ଉତ୍ତରାଖଣ୍ଡ ଯିବେ।

ଅନ୍ୟପଟେ, ୪୧ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି। ଆଉ ୧୦ ମିଟର ଖନନ ବାକି ରହିଛି। ଉଦ୍ଧାର ପାଇଁ ଆହୁରି ସମୟ ଲାଗି ପାରେ। ତେବେ ଲୁହାର ଚଟ୍ଟାଣ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଛି। ଟନେଲର ଉଭୟ ପାର୍ଶ୍ବରୁ ଏବଂ ଉପର ପଟୁ ଡ୍ରିଲ୍ ଚାଲିଛି। ଉଦ୍ଧାର କାର୍ଯ୍ୟ ପାଇଁ ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ୱତନ୍ତ୍ର ଅଗର ମେସିନ। ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ। ଆଜି ସନ୍ଧ୍ୟା ସୁଦ୍ଧା ରେସ୍କ୍ୟୁ ଅପରେସନ୍ ସରିପାରେ ବୋଲି ପିଏମ୍‌ଓର ପୂର୍ବତନ ପରାମର୍ଶଦାତା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ମଙ୍ଗଳବାର ଭିଡିଓ କ୍ୟାମେରାରେ ଶ୍ରମିକଙ୍କ ଛବି ଆସିଥିଲା। ବାହାରକୁ ଆସିବା କେବଳ ବାକି ରହିଛି। ସାଢ଼େ ୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଟନେଲର ୨୬୦ ମିଟର ପରେ ୪୧ ଶ୍ରମିକ ଫସି ରହିଛନ୍ତି। ମୁହଁ ଠାରୁ ୨୦୦ ମିଟର ପରେ ଭୁଶୁଡ଼ି ପଡ଼ିଥିଲା ଟନେଲ। ୬୦ ମିଟର ପର୍ଯ୍ୟନ୍ତ ଟନେଲ ପୋତି ହୋଇ ଯାଇଥିଲା। ଫଶିରହିଥିବା ଶ୍ରମିକଙ୍କଠୁ ଆଉ ୪ ମିଟର ଦୂରତା ରହିଛି। ଡ୍ରିଲିଂ ମେସିନର ବ୍ଲେଡ ଭାଙ୍ଗିଯବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଥିଲା। ପରେ ପୁଣି ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଉ କିଛି ସମୟ ଲାଗିପାରେ ବୋଲି ସୂଚନା ଆସିଛି। ଘଟଣାସ୍ଥଳରେ ୪୧ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି ଏବଂ ସ୍ଥାନୀୟ ଡାକ୍ତରଖାନାରେ ୪୧ଟି ବେଡ ମଧ୍ୟ ପ୍ରସ୍ତୁତ କରାଯାଇଛି। ଶ୍ରମିକଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡିଲେ ଶ୍ରମିକମାନଙ୍କୁ ଏୟାର ଲିଫ୍ଟ କରି ରିଷିକେଶ ଏମ୍ସକୁ ନିଆଯିବ।

Leave A Reply

Your email address will not be published.