କାର୍ତ୍ତିକ ପୂର୍ଣ୍ଣିମାରେ ଭି.କାର୍ତ୍ତିକଙ୍କ ନୂଆ ଯାତ୍ରା
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପୂର୍ବତନ ସଚିବଙ୍କୁ ଦଳରେ ସାମିଲ କରିଛନ୍ତି।
ଓଏଲ୍ ବ୍ୟୁରୋ: ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ରାଜ୍ୟ ରାଜନୀତିକୁ ନେଇ ଏକ ବଡ ଧରଣର ଖବର ସାମ୍ନାକୁ ଆସିଛି। ରାଜନୀତିରେ ପାଦ ଥାପିଛନ୍ତି ଲୋକପ୍ରିୟ ପୂର୍ବତନ ଆଇଏଏସ ଅଫିସର ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ୫-ଟି ଅଧ୍ୟକ୍ଷ। ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପୂର୍ବତନ ସଚିବଙ୍କୁ ଦଳରେ ସାମିଲ କରିଛନ୍ତି। ବରିଷ୍ଠ ବିଜେଡି ନେତାମାନଙ୍କ ବୈଠକ ପରେ ଭି.କେ ପାଣ୍ଡିଆନ ସାମିଲ ହୋଇଛନ୍ତି। ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ପାଣ୍ଡିଆନଙ୍କୁ ବିଜେଡିରେ ଗ୍ରହଣ କରାଯାଇଥିଲା।
ନିର୍ବାଚନ ପାଖେଇ ଆସୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଥିଲେ। ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଜେଡିର କର୍ମୀମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଭିକେ ପାଣ୍ଡିଆନ ବିଜୁ ଜନତା ଦଳରେ ଯୋଗ ଦେବା ପରେ ଶଙ୍ଖ ଭବନରେ ସ୍ବତନ୍ତ୍ର ଚାମ୍ବର ମିଳିଲା। ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ନିଜ ଚାମ୍ବରରେ ଭିକେ ପାଣ୍ଡିଆନ ବସିଥିବା ଚିତ୍ର ସାମ୍ନାକୁ ଆସିଛି।
ସୂଚନାଥାଉକି, ପାଣ୍ଡିଆନ ଅକ୍ଟୋବରରେ ସରକାରୀ ଚାକିରିରୁ ଅବସର ନେବା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ। ଭିକେ ପାଣ୍ଡିଆନ୍ ଗତ ମହାନବମୀ ଦିନ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ପରଦିନ ଅର୍ଥାତ୍ ବିଜୟା ଦଶମୀ ଦିନ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ୫ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ବର୍ତ୍ତମାନ ଭି.କେ ପାଣ୍ଡିଆନ୍ ବିଜେଡିରେ ସାମିଲ ହେବାପରେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ସ୍ବାଗତ କରିଛନ୍ତି।