ଆଜିଠୁ ବହିର ବାଲିଯାତ୍ରା; ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଚମକିବ ‘ଅକ୍ଷର’

ଓଏଲ୍ ବ୍ୟୁରୋ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ୫ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜିଠୁ ଡ଼ିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୫ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଅନୁଷ୍ଠିତ ହେବ। ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ସମେତ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି ସହଯୋଗିତାରେ ଆୟୋଜିତ ହେଉଥିବା ଏହି ପୁସ୍ତକ ମହୋତ୍ସବ ହେବ ରାଜ୍ୟର ଏକ ଅଗ୍ରଣୀ ବହିମେଳା। ପ୍ରଦର୍ଶନୀ ପଡ଼ିଆରେ ଏହି ପୁସ୍ତକ ମେଳା ଆୟୋଜନ କରାଯାଇଛି। ଆଜି ଅପରାହ୍ନ ୪ ଘଟିକା ସମୟରେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଶୁଭାରମ୍ଭ କରିବେ।
ଏହି ପୁସ୍ତକ ମହୋତ୍ସବ ଉଦ୍ଦେଶ୍ୟରେ ବିଭିନ୍ନ ଷ୍ଟଲ ନିର୍ମାଣ କରାଯାଉଛି। ମେଳାରେ ଓଡ଼ିଶା ବାହାରୁ ଶତାଧିକ ପୁସ୍ତକ ପ୍ରକାଶକ ଓ ବିତରକ ଯୋଗ ଦେଉଛନ୍ତି। ଏହା ସହିତ ରାଜ୍ୟର ସମସ୍ତ ଜଣାଶୁଣା ପ୍ରକାଶନ ସଂସ୍ଥା ମଧ୍ୟ ମେଳାରେ ଅଂଶଗ୍ରହଣ କରିବେ। ପ୍ରତିସନ୍ଧ୍ୟାରେ ମେଳା ପରିସରରେ ସାରସ୍ୱତ ସଭା ଆୟୋଜନ କରାଯାଇଛି। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରଥିତଯଶା ସାହିତ୍ୟିକମାନେ ଯୋଗଦେଇ ବକ୍ତବ୍ୟ ରଖିବେ।
ପୁସ୍ତକ ମହୋତ୍ସବକୁ ଆକର୍ଷଣୀୟ ଭାବେ ଗଢ଼ିତୋଳିବା ପାଇଁ ବ୍ୟାପକ ପ୍ରଚାର ଓ ପ୍ରସାର, ବିଭିନ୍ନ ଛକମାନଙ୍କରେ ବିଜ୍ଞାପନ ଫଳକ ପ୍ରଦର୍ଶନ ସାଙ୍ଗକୁ ଚିତ୍ତାକର୍ଷକ ଆଲୋକସଜ୍ଜା କରାଯିବ। ଏଠାରେ ଉଲ୍ଲେଖେଯୋଗ୍ୟ ଯେ ୨୦୧୭ ଡିସେମ୍ବର ୨୬ରେ ପୁରୀଠାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସ୍ଥିରୀକୃତ ୨୦ ଦଫା କାର୍ଯ୍ୟକ୍ରମ ଅନୁସାରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ତଥା ରାଜଧାନୀ ଭୁବନେଶ୍ୱରେ ପ୍ରତିବର୍ଷ ପୁସ୍ତକ ମେଳା ଆୟୋଜନ କରାଯାଉଛି।