Odisha Link
Bridging the Missing Links in Odisha

ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା; ସ୍କୁଲ୍ ବସ୍ ପାଇଁ ଆସିଲା ଗାଇଡଲାଇନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ତେବେ ଏହି ସମୟରେ ପର୍ଯ୍ୟଟକ ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପ୍ରସ୍ତୁତ କରାଯାଏ। ଏହାରି ମଧ୍ୟରେ ପିକନିକ ଋତୁରେ ମାତ୍ରାଧିକ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା। ସ୍କୁଲ ବସ ପାଇଁ ଆସିଲା ଗାଇଡଲାଇନ। ନୂଆ ଗାଇଡଲାଇନ ଆଣିଲା ସଡକ ଓ ପରିବହନ ବିଭାଗ। ବସର ଆଗ ଓ ପଛରେ ସ୍କୁଲ ବସ ବୋଲି ଲେଖା ରହିବ। ଏହାସହିତ ଅଗ୍ନି ନିର୍ବାପକ ଯନ୍ତ୍ର ସହ ଫାଷ୍ଟ ଏଡ଼ ମଧ୍ୟ ରହିବା ବାଧ୍ୟତାମୂଳକ କରାଯାଇଛି। ବସ୍‌ଟି ୫୦ କିଲୋମିଟରରୁ ଅଧିକ ସ୍ପିଡ଼ରେ ଚାଲିପାରିବନି।

ବସରେ ସ୍କୁଲର ନାମ ଓ ନମ୍ବର ରହିବା ବାଧ୍ୟତାମୂଳକ ରହିଥିବା ବେଳେ ଗାଡି ଚାଲିବା ବେଳେ ବସର ଡୋରଟି ଭଲ ଭାବେ ଲକ ହେଉଥିବା ଆବଶ୍ୟକ। ଗାଡି ଚଲାଉଥିବା ଡ୍ରାଇଭର ଭ୍ୟାଲିଡ଼ ଲାଇସେନ୍ସ ରଖିବା ଜରୁରୀ। ୫ ବର୍ଷ ଭାରିଯାନ ଚଳାଇବା ନେଇ ଅଭିଜ୍ଞତା ରହିବା ଆବଶ୍ୟକ। ସ୍କୁଲ ବସରେ କଣ୍ଡକ୍ଟର ଓ ଡ୍ରାଇଭର ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ। ଏହାବ୍ୟତୀତ ସ୍କୁଲ ବ୍ୟାଗ ରଖିବା ପାଇଁ ଦୁଇ ସିଟ ମଧ୍ୟରେ ସ୍ପେସ ରହିବା ଦରକାର। ଆଉ ଗାଡ଼ିରେ ଫିଟନେସ ସାର୍ଟିଫିକେଟ ଓ ରୁଟ ଚାର୍ଟ ରହିବା ଜରୁରୀ ବୋଲି ନିର୍ଦ୍ଦେଶନାମା ରହିଛି।

ଅନ୍ୟପଟେ, ଦୁର୍ଘଟଣା ଏଡ଼ାଇବାକୁ ପରିବହନ ବିଭାଗ ପକ୍ଷରୁ ଏସ୍ଓପି ଜାରି କରାଯାଇଛି। ଶୀତଋତୁ ବିଶେଷ କରି ପିକନିକ ସମୟରେ ମାତ୍ରାଧିକ ଦୁର୍ଘଟଣା ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଏହାର ପ୍ରତିକାର ସ୍ବରୂପ ଦୁର୍ଘଟଣା ଏଡ଼ାଇବାକୁ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟର ପର୍ଯ୍ୟଟନସ୍ଥଳ ଏବଂ ପିକନିକ ସ୍ପଟରେ ପୁଲିସ ଓ ଆରଟିଓ କର୍ମଚାରୀ ସଜାଗ ରହିବେ। ପିକନିକ ପାଇଁ ଯାଉଥିବା ଗାଡ଼ି ପାଇଁ ଆବଶ୍ୟକ ସ୍ବତନ୍ତ୍ର ଅନୁମତି। ଗାଡ଼ିର ଫିଟନେସ ସହ ଆରଟିଓରୁ ସ୍ବତନ୍ତ୍ର ଅନୁମତି ଆଣିବାକୁ ପଡ଼ିବ। ପିକନିକ ସ୍ପଷ୍ଟ ନିକଟରେ ପରିବହନ କର୍ମଚାରୀ ରହି ଯାଞ୍ଚ କରିବେ। ପିକନିକ ଗାଡ଼ିରେ ଦହନଶୀଳ ସାମଗ୍ରୀ ପରିବହନକୁ ବାରଣ କରାଯାଇଛି।

ପିକନିକ ଗାଡ଼ିରେ ରନ୍ଧନ ଗ୍ୟାସ ଓ ବାଣ ଯାଉଥିଲେ ପୁଲିସ ବାରଣ କରିବ। ପିକନିକ ଗାଡ଼ିରେ ଓଭରଲୋଡ଼ିଂ ସମ୍ପୂର୍ଣ୍ଣ ମନା ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ହୋଇଛି। ଓଭରଲୋଡ଼ିଂକୁ ଉଭୟ ଆରଟିଓ ଏବଂ ପୁଲିସ ମିଶି ଯାଞ୍ଚ କରିବେ। ମଦ୍ୟପ ଡ୍ରାଇଭରକୁ ତୁରନ୍ତ ଗିରଫ କରି ଲାଇସେନ୍ସ ରଦ୍ଦ କରାଯିବ। ଗାଡ଼ିର ମାଲିକ ଅନ୍ୟ ଡ୍ରାଇଭର ପଠାଇ ପିକନିକ ଦାୟିତ୍ବ ତୁଲାଇବେ। ଡ୍ରାଇଭିଂ ଲାଇସେନ୍ସ ନ ଥାଇ ଗାଡ଼ି ନେଇଥିଲେ ଗାଡ଼ିକୁ ଅଟକ ରଖାଯିବ। ଗାଡ଼ିର ମାଲିକ ଅନ୍ୟ ଡ୍ରାଇଭର ପଠାଇ ପିକନିକ ଦାୟିତ୍ବ ତୁଲାଇବେ ବୋଲି ପିକନିକ ମାର୍ଗଦର୍ଶିକାରେ ଦର୍ଶାଯାଇଛି। ଦୁର୍ଘଟଣା ଏଡ଼ାଇବାକୁ ପରିବହନ ବିଭାଗ ପକ୍ଷରୁ ଏଭଳି ମାର୍ଗଦର୍ଶିକା ଜାରି କରାଯାଇଛି।

Leave A Reply

Your email address will not be published.