Odisha Link
Bridging the Missing Links in Odisha

ପରିଣତ ବୟସରେ ପ୍ରେରଣାର ଉତ୍ସ ଡା. ନାରାୟଣୀ ପଣ୍ଡା

ଓଏଲ୍‌ ବ୍ୟୁରୋ: ପରିଣତ ବୟସରେ ପ୍ରେରଣାର ଉତ୍ସ। ସ୍ୱାର୍ଥପର ସମାଜରେ ନିସ୍ୱାର୍ଥପର ମଣିଷଟିଏ। ପରିଣତ ବୟସରେ ସମାଜ ସେବାରେ ମଗ୍ନ। ପାଇବାର କୌଣସି ଇଚ୍ଛା ନରଖି ଜୀବନ ତମାମ ଖାଲି ଦାନ ହିଁ କରିଆସୁଛନ୍ତି। ନିଜର ମହତ କାର୍ଯ୍ୟକୁ ଗୋପନ ରଖି ନିରନ୍ତର ସେବା କରୁଛନ୍ତି। ନିଜ କଷ୍ଟ ଉପାର୍ଜିତ ସମ୍ପତ୍ତିକୁ ଦାନ କରି ଗରିବ, ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି ସମ୍ବଲପୁରର ୮୭ ବର୍ଷୀୟ ଡାକ୍ତର ନାରାୟଣୀ ପଣ୍ଡା। ପ୍ରସାର, ଆତ୍ମବିଜ୍ଞାପନଠୁ ସେ ବହୁ ଦୂରରେ। ପୂର୍ବରୁ ବିଭିନ୍ନ କଲେଜ, ଶିକ୍ଷାନୁଷ୍ଠାନକୁ ଲକ୍ଷ ଲକ୍ଷ ଟଙ୍କା ଦାନ କରି ସାରିଥିବା ବେଳେ ଏବେ ନିଜର ସର୍ବସ୍ୱ ଦାନ କରିଦେଲେ। ନିଜେ ରହୁଥିବା ଏକମାତ୍ର ଘରକୁ ବି ଚୁପଚାପ ଦାନ କରିଦେଲେ। ଏହାକୁ ଦାନ କରିବା ପରେ ଡାକ୍ତର ନାରାୟଣୀ ପଣ୍ଡାଙ୍କ ମୁହଁରେ ଆତ୍ମସନ୍ତୋଷର ହସ ଖେଳିଯାଇଛି।

ସମ୍ବଲପୁର ସହରର ଡାକ୍ତର ନାରାୟଣୀ ପଣ୍ଡା ୮୭ ବର୍ଷ ବୟସରେ ପାଦ ଦେଲେଣି, ହେଲେ ଏବେ ବି ଲୋକଙ୍କ ସେବା ପାଇଁ ତତ୍ପର। ଚାକିରି ସମୟରେ ଅନେକ ଲୋକଙ୍କ ସେବା ଶ୍ରୁଶୁଷା କରିଛନ୍ତି। ଚାକିରିରୁ ଅବସର ନେବା ପରେ ବି ସେବା ଜାରି ରଖିଛନ୍ତି। ଏମିତିକି ନିଜ ଅର୍ଜିତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଜନ ସେବାରେ ଲଗାଇ ଆସିଛନ୍ତି। ପୂର୍ବରୁ ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ ୩୦ ଲକ୍ଷ ଟଙ୍କା। ଏହି ଟଙ୍କା ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ବିନିଯୋଗ ହେବ। କେବଳ ଏତିକି ନୁହେଁ, ଏମିତି ଅନେକ କ୍ଷେତ୍ରରେ ଦାନ କରି ସେ ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି।

ଡାକ୍ତର ପଣ୍ଡା ପୂର୍ବରୁ ନିଜର ଅର୍ଥ ଓ ସମ୍ପତ୍ତି ଭିନ୍ନ ଭିନ୍ନ ସଂସ୍ଥାକୁ ଦାନ କରି ସାରିଛନ୍ତି। ତାଙ୍କ ପାଖରେ କେବଳ ଗୋଟିଏ ଘର ଥିବା ବେଳେ ସେଠାରେ ସେ ରହୁଥିଲେ। ମାତ୍ର ଏବେ ସେ ଉକ୍ତ ଘରକୁ ବି ହସ ହସ ମୁହଁରେ ଦାନ କରି ସାରିଛନ୍ତି। ଡାକ୍ତର ପଣ୍ଡା ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ନିଜ ଘର ଦାନ କରି ଦେଇଛନ୍ତି। ସମ୍ବଲପୁର ସହରର ଭୁତାପଡ଼ାସ୍ଥିତ ୮ ଡେସିମିଲ ପରିମିତ ଜାଗାରେ ନିର୍ମିତ ୨ ମହଲା ଘରଟିକୁ ଦାନ କରିଦେଇଛନ୍ତି ଡାକ୍ତର ପଣ୍ଡା। ଡାକ୍ତର ପଣ୍ଡାଙ୍କର ଉକ୍ତ ଘରଟିକୁ କିଛି ମାସ ହେଲା ସରକାରୀ ମହିଳା ମହାବିଦ୍ୟାଳୟର ହଷ୍ଟେଲ ଭାବେ ବ୍ୟବହାର କରାଯାଉଛି। ଏହି ଘରକୁ ୪ରୁ ୫ ମାସ ପୂର୍ବେ ହଷ୍ଟେଲ ଭାବେ ବ୍ୟବହାର କରାଯାଇଆସୁଛି। ମାତ୍ର ଏହା ମଧ୍ୟରେ ଡାକ୍ତର ପଣ୍ଡା ଏଥିନିମନ୍ତେ ଆବଶ୍ୟକ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ଗତକାଲି ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ହସ୍ତାନ୍ତର କରି ଦେଇଛନ୍ତି।

ଏନେଇ ସେ କହିଛନ୍ତି, ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର କିଛି ପିଲା ହଷ୍ଟେଲରେ ରହିବାକୁ ଜାଗା ନ ପାଇ ମୋ’ ପାଖକୁ ଆସି ସେମାନଙ୍କ ଦୁଃଖ କହିଥିଲେ। ତେଣୁ କିଛି ପିଲାଙ୍କୁ ଉପର ମହଲାରେ ରଖିଛି। ଏହାପରେ ଭାବିଲି ଘର ଆଉ କାହାକୁ ଦେବା ଅପେକ୍ଷା କଲେଜ ଛୁଆମାନଙ୍କୁ କାହିଁକି ନ ଦେବି। ତେଣୁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ଗତକାଲି ମହିଳା ମହାବିଦ୍ୟାଳୟକୁ ଘର ହସ୍ତାନ୍ତର କରି ଦେଇଛି। ଝିଅ ପିଲାଙ୍କ ହଷ୍ଟେଲ ପାଇଁ ଏହା ବ୍ୟବହାର ହେବ। ଏହି ଅବସରରେ ସେ କହିଛନ୍ତି, ମୁଁ ତ କୌଣସି ଜିନିଷ ନେଇ ଆର ପାରିକୁ ଯାଇ ପାରିବିନି, ତେଣୁ ଲୋଭ କାହିଁକି କରିବି। ଯେତିକି ଜିନିଷ ଦରକାର ସେତିକି ପାଖରେ ରଖି ଆଉ ସବୁ ଅନ୍ୟମାନଙ୍କୁ ଦାନ କରି ଦେବା ଉଚିତ।

ଦିନ ଥିଲା ସେ ଅଭାବ ଅନାଟନରେ ପାଠ ପଢିଥିଲେ। ଗଙ୍ଗାଧର ମେହେର କଲେଜର ଏହି ଛାତ୍ରୀ ଟ୍ରଷ୍ଠ ଫଣ୍ଡରୁ ମାସକୁ ୨୫ ଟଙ୍କା ଲେଖାଏଁ ସାହାଯ୍ୟ ପାଇ ସେ ପାଠ ପଢିଥିଲେ ଆଉ ଏବେ ସେ ଡାକ୍ତର। ଡାକ୍ତର ହେବା ପରେ ନିଜେ ପଢିଥିବା ଶିକ୍ଷାନୁଷ୍ଠାନ ଗଙ୍ଗାଧର ମେହେର କଲେଜକୁ ( ବର୍ତ୍ତମାନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ) ୩୦ ଲକ୍ଷ ଟଙ୍କା ଦାନ କରିଥିଲେ। ଅନୁରୂପ ସରକାରୀ ମହିଳା ମହାବିଦ୍ୟାଳୟର ନବ ନିର୍ମିତ ବହୁମୁଖୀ ସମ୍ମିଳନୀ କକ୍ଷ ଓ ଭିତ୍ତିଭୂମିର ବିକାଶ ନେଇ ୨୦ ଲକ୍ଷର ଅନୁଦାନ ଦେଇ ସାରିଛନ୍ତି। ତେବେ ନିଜର ସର୍ବସ୍ବ ଦାନ କରିସାରିଥିବା ଡା. ନାରାୟଣୀ ପଣ୍ଡା ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

Leave A Reply

Your email address will not be published.