Odisha Link
Bridging the Missing Links in Odisha

କଟକ: ବିଜେଡିର ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ସମସ୍ତ ରାଜନୈତିକ ଦଳ ଜୋରଦାର ଆରମ୍ଭ କଲେଣି ପ୍ରସ୍ତୁତି। ଓଡ଼ିଶାରେ ଏକାସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବାରୁ ସମସ୍ତଙ୍କ ରହିଛି ନଜର। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଆଜି ମଧ୍ୟାହ୍ନରେ ପ୍ରକାଶ ପାଇଥିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ସନ୍ଧ୍ୟାରେ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ନବୀନ। କଟକ ଲୋକସଭା ଆସନରୁ ସଂତୃପ୍ତ ମିଶ୍ରଙ୍କୁ ଟିକେଟ୍‌ ଦେଇଛି ଦଳ ।

ସମ୍ବଲପୁର ଲୋକସଭା ପାଇଁ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଘୋଷଣା ହୋଇଥିବାବେଳେ କେନ୍ଦ୍ରାପଡା ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି ଅଂଶୁମାନ ମହାନ୍ତି। ସେହିଭଳି ସୁନ୍ଦରଗଡ ପାଇଁ ଦିଲ୍ଲୀପ ତିର୍କି, ମୟୂରଭଞ୍ଜ ପାଇଁ ସୁଦାମ ମାର୍ଣ୍ଡି, ନବରଙ୍ଗପୁର ପାଇଁ ପ୍ରଦୀପ ମାଝୀ, ଭୁବନେଶ୍ୱର ପାଇଁ ମନ୍ମଥ ରାଉତରାୟ, କୋରାପୁଟ ପାଇଁ କୌଶଲ୍ୟା ହିକ୍କା, ଆସ୍କା ପାଇଁ ରଞ୍ଜିତା ସାହୁ, କଳାହାଣ୍ଡି ପାଇଁ ଲମ୍ବୋଦର ନିଆଲଙ୍କ ନାଁ ଘୋଷଣା ହୋଇଛି।

ଆଜି ସନ୍ଧ୍ୟାରେ ଆଉ ୫ଜଣ ସାଂସଦଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କଟକ ଲୋକସଭା ଆସନରୁ ସଂତୃପ୍ତ ମିଶ୍ର, ପୁରୀରୁ ଅରୂପ ପଟ୍ଟନାୟକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଢେଙ୍କାନାଳ ଅବିନାଶ ସାମଲ, ଜଗତସିଂହପୁର ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ।

ସୂଚନାଥାଉକି, ଫେବୃଆରୀ ୯ ତାରିଖରେ ବିଜେଡିରେ ଯୋଗ ଦେଇଥିଲେ ସଂତୃପ୍ତ ମିଶ୍ର। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମିଶିଥିଲେ। ପୂର୍ବରୁ ସଂତୃପ୍ତ ମିଶ୍ର ଆଦିତ୍ୟ ବିର୍ଲା ଏଚ୍‌ଆର ଗ୍ରୁପର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ଗତ ଡିସେମ୍ବରରେ ସେ ଚାକିରିରୁ ସ୍ଵେଛାକୃତ ଅବସର ନେଇଥିଲେ। ଏହା ସହ ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଥିଲେ।

Leave A Reply

Your email address will not be published.