Odisha Link
Bridging the Missing Links in Odisha

ରାଜଧାନୀରେ ରାଜ୍ କରୁଛି ତାତି; ରାଜ୍ୟର ୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅସହ୍ୟ ହେଲାଣି ତାତି। ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି ଅସମ୍ଭାଳ ତାତି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହି ପାରେ। ଏହା ସହ ୧୪ ଜିଲ୍ଲାକୁ ହିଟ୍‌ୱେଭ୍‌ ୱାର୍ଣ୍ଣିଂ ଦିଆଯାଇଛି। ଖୋର୍ଦ୍ଧା, କଟକ, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, ନୟାଗଡ଼, ଅନୁଗୁଳ, ବଲାଙ୍ଗିର, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଂଜ, ଝାରସୁଗୁଡ଼ାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ଆସନ୍ତା ୭ ଓ ୮ରେ ପାଗରେ ପରିବର୍ତ୍ତନ ଆସିବା ଦ୍ୱାରା କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୪୩.୨ ଡିଗ୍ରୀ, ସମ୍ବଲପୁରରେ ୪୦.୮ ଡିଗ୍ରୀ, ହୀରାକୁଦରେ ୪୦.୬ ଡିଗ୍ରୀ, ଚାନ୍ଦବାଲିରେ ୪୦.୬ ଡିଗ୍ରୀ, ଝାରସୁଗୁଡାରେ ୪୦.୨ ଡିଗ୍ରୀ, ରାଉରକେଲାରେ ୩୯.୬ ଡିଗ୍ରୀ, କେନ୍ଦୁଝରରେ ୩୯ ଡିଗ୍ରୀ, ବାଲେଶ୍ୱରରେ ୩୭.୮ ଡିଗ୍ରୀ, ପୁରୀରେ ୩୩ ଡିଗ୍ରୀ, ଗୋପାଳପୁରରେ ୩୨.୨ ଡିଗ୍ରୀ, ପାରାଦୀପରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପଟେ, ରୌଦ୍ରତାପ ଜନିତ ଅଂଶୁଘାତ ରୋକିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଖରାରେ ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ମନା କରାଯାଇଛି। ଏପ୍ରିଲରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଡାଇଯାଇଛି। ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଶ୍ରମିକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ପରାମର୍ଶ ଜାରି ହୋଇଛି।

ଏଥିସହିତ ରାଜ୍ୟରେ ବଢୁଥିବା ତାପମାତ୍ରାକୁ ନଜରରେ ରଖି ପ୍ରମୁଖ ସହରରେ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ମହାନଗର କମିଶନରଙ୍କୁ ଏସ୍‌ଆର୍‌ସି ଅଫିସରୁ ଚିଠି କରାଯାଇଛି। ଖରା ବଢୁଥିବାରୁ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଛକରେ ବିଶ୍ରାମ ଗୃହ, ଜଳଛତ୍ର ନଥିବା ସାମ୍ନାକୁ ଆସିବା ପରେ ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.