Odisha Link
Bridging the Missing Links in Odisha

ଓଡ଼ିଶା-ଆନ୍ଧ୍ରରେ ଗୋଟିଏ ଦିନରେ ନିର୍ବାଚନ; କେଉଁଠି ମତ ଦେବେ କୋଟିଆବାସୀ!

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଢୁଥିବା ତାପମାତ୍ରା ପରି ରାଜ୍ୟ ରାଜନୀତି ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ ଯେତେ ପାଖଉଛି ବିଭିନ୍ନ ରାଜନୈତିକ ଦଳ ଆପଣାଉଛନ୍ତି ନୂଆ ନୂଆ ରଣନୀତି। ଏହାରି ମଧ୍ୟରେ ସବୁଠୁ ବେଶୀ ଚର୍ଚ୍ଚାରେ ରହିଛି କୋରାପୁଟର କୋଟିଆ। ଯେଉଁଠି ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ଭୋଟ୍ କରାଇବାକୁ ଚାଲିଛି ସଜବାଜ। ଉଭୟ ରାଜ୍ୟରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଦ୍ବନ୍ଦ୍ବ ଆହୁରି ବଢ଼ିଛି। କାରଣ, ଭୋଟଗ୍ରହଣ ପର୍ଯ୍ୟାୟ ଓ ତାରିଖ ଘୋଷଣା ହେଲେ, ସେଠି ଯାହାର ପାଳି ଆଗ ପଡ଼ିବ, ତା’ର ପଲ୍ଲା ଭାରି ରହିବା ଆଶଙ୍କା ଉପୁଜିଛି। ଭୋଟର ବି କେଉଁ ରାଜ୍ୟ ପାଇଁ ଭୋଟ ଦେବେ ତାକୁ ନେଇ ଟଣାଓଟରା।

କୋଟିଆରେ ନିର୍ବାଚନ ପ୍ରଭାବିତ କରିବାକୁ ପୁଣି ରଣନୀତିରେ ଆନ୍ଧ୍ର ପରିବର୍ତ୍ତନ କରିଛି। ପୂର୍ବରୁ ୮୦ ପ୍ରତିଶତ ମତଦାନ ପାଇଁ ଲକ୍ଷ୍ୟ ରଖିଥିଲା। ତେବେ ଏହି ଯୋଜନାରେ ଓଡ଼ିଶା ଅଙ୍କୁଶ ଲଗାଇବା ଆରମ୍ଭ କରିବାରୁ ସିଂହଭାଗ ଭୋଟରଙ୍କୁ ନିର୍ବାଚନର ଦିନକ ପୂର୍ବରୁ କିମ୍ବା ନିର୍ବାଚନ ଦିନ ସକାଳୁ ସକାଳୁ ନେଇଯିବାକୁ ଆନ୍ଧ୍ର ଯୋଜନା କରିଥିବା ସୂଚନା ରହିଛି।

ସବୁଠୁ ବଡ଼ ପ୍ରଶ୍ନ ରହିଛି ଯେ, କେଉଁ ରାଜ୍ୟର ହୋଇ କୋଟିଆବାସୀ ଭୋଟ୍ ଦେବେ? ଓଡ଼ିଶା ନା ଆନ୍ଧ୍ରପ୍ରଦେଶ? ଉଭୟ ରାଜ୍ୟରେ ଲୋକସଭା ସହ ଏକାଠି ବିଧାନସବା ନିର୍ବାଚନ ହେବ। ତେଣୁ ଦୁଇ ଆଡ଼ୁ ଚାଲିଛି କସରତ। ପୂର୍ବରୁ ବି ଏଠି ଭୋଟ୍ କରାଇଥିବା ଆନ୍ଧ୍ର, ଏଥର ବି ଅଧିକାରୀଙ୍କୁ ପଠାଇ ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ତେବେ ସବୁଠୁ ବଡ଼ ଦ୍ବନ୍ଦ୍ବ ହେଉଛି, ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେଲେ ଭୋଟିଂ ଫେଜ୍ ଅନୁସାରେ, ପଟ୍ଟାଙ୍ଗିରେ ଆଗ ଭୋଟ ହେବ ନା ଆନ୍ଧ୍ରର ସାଲୁରରେ? ଆଗପଛ ହୋଇ ତାରିଖ ପଡ଼ିଲେ, ଯିଏ ଆଗ ଭୋଟ୍ କରାଇବ, ଏଠାକାର ଭୋଟର ତାକୁ ଭୋଟ୍ ଦେବାର ଅଧିକ ସମ୍ଭାବନା ରହିଛି।

ଅନ୍ୟପଟେ କୋଟିଆରେ ମତଦାନ ହାର ବଢ଼ାଇବା ଓ ଭୋଟରଙ୍କୁ କାବୁ କରିବା ପାଇଁ ବହୁତ ବଡ଼ ଷଡ଼୍‌ଯନ୍ତ୍ର ହୋଇଥିବା ଜଣାପଡ଼ିଛି। ଦୁଇ ବର୍ଷ ମଧ୍ୟରେ ଭୋଟର ସଂଖ୍ୟା ୧୬ଗୁଣ ବଢ଼ାଇଥିବା ଆନ୍ଧ୍ର କୋଟିଆ ଭୋଟରଙ୍କ ପାଇଁ ୧୦ଟି ବୁଥ୍‌ କରିବ। ସେଥିରୁ ୫ଟି ବୁଥ୍‌ କୋଟିଆର ଫାଟୁସିନେରି, ଫଗୁଣସିନେରି, ଗଞ୍ଜେଇପଦର, ସାରିକି ଓ କୁରୁକୁଟିରେ ହେବ। ଏହି ବୁଥ୍‌ଗୁଡ଼ିକରେ କୋଟିଆର ମୋଟ ୨୫୫୪ ଭୋଟର ମତଦାନ ନିମନ୍ତେ ଆନ୍ଧ୍ର ବ୍ୟବସ୍ଥା କରିଛି। ସେହିପରି ବାକି ୫ଟି ବୁଥ୍‌ ଆନ୍ଧ୍ର ନିଜ ଅଞ୍ଚଳରେ କରିବ। ସେହି ବୁଥ୍‌କୁ କୋଟିଆ ଅଞ୍ଚଳର ଭୋଟର ଯାଇ ମତଦାନ କରିବାକୁ ଯୋଜନା ହୋଇଛି। ତେବେ ଆଗାମୀ ନିର୍ବାଚନରେ କୋଟିଆ ରାଜନୀତିରେ କ’ଣ ପରିବର୍ତ୍ତନ ଆସୁଛି ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.