Odisha Link
Bridging the Missing Links in Odisha

ଦିଲ୍ଲୀରେ ଲାଗୁ ହୋଇପାରେ ରାଷ୍ଟ୍ରପତି ଶାସନ; ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ..

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ପାଖେଇ ଆସିଲାଣି ନିର୍ବାଚନ ତାରିଖ। ଗଣତନ୍ତ୍ରର ମହା ପର୍ବକୁ ଅନାଇ ବସିଛନ୍ତି ସମସ୍ତେ। ଚଳିତଥର ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ମନ୍ତ୍ରୀ ଆତିଶିଙ୍କ ବୟାନ ଚର୍ଚାର ବିଷୟ ପାଲଟିଛି।

ମନ୍ତ୍ରୀ ଆତିଶି କହିଛନ୍ତି ଯେ, ଦିଲ୍ଲୀରେ ନିର୍ବାଚିତ ସରକାରଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି ବୋଲି ତାଙ୍କ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଦିଲ୍ଲୀର ସରକାରୀ କର୍ମଚାରୀମାନେ ଏହି ବୈଠକକୁ ଆସୁନାହାଁନ୍ତି। ଏପ୍ରିଲ ୧୨ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆତିଶି କହିଛନ୍ତି ଯେ ୨୦ ବର୍ଷ ପୂର୍ବେ ଏହି ଘଟଣାରେ ବିବେକ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ହେଉନାହିଁ। ମିଥ୍ୟା ଅଭିଯୋଗରେ ଅରବିନ୍ଦ କେଜରୱାଲଙ୍କୁ ଗିରଫ କରାଯାଇଛି।

ଆତିଶି ଦାବି କରିଛନ୍ତି ଯେ ଦିଲ୍ଲୀର ଜନତା ଆମ ଆଦମୀ ପାର୍ଟିକୁ ପସନ୍ଦ କରନ୍ତି। ତେବେ ଏଠାକାର ନିର୍ବାଚିତ କେଜରିୱାଲ ସରକାରଙ୍କ ବିରୋଧରେ ଏକ ରାଜନୈତିକ ଷଡଯନ୍ତ୍ର ରଚିଛି। ଭାଜପା ଶାସିତ କେନ୍ଦ୍ର ସରକାର ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ଏଠାରେ କୌଣସି ବରିଷ୍ଠ ଅଧିକାରୀଙ୍କୁ ପୋଷ୍ଟ କରାଯାଉ ନାହିଁ। ଅନେକ ବିଭାଗ ଖାଲି ଅଛି, ଯେଉଁଠାରେ ଅଧିକାରୀମାନେ ଉପସ୍ଥିତ ନାହାଁନ୍ତି। ସରକାର କାମ କରୁନଥିବା କାରଣରୁ ଦିଲ୍ଲୀର ଏଲଜି ମଧ୍ୟ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖୁଛି। ବିନା କାରଣରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ହଟାଯାଉଛି। ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ପ୍ରସ୍ତୁତି ଚାଲିଥିବା ଏହି ସବୁ ସୂଚନାରୁ ଜଣାପଡିଛି।

ଜାଣନ୍ତୁ କେତେବେଳେ ଲାଗୁ ହୁଏ ରାଷ୍ଟ୍ରପତି ଶାସନ?

ଭାରତୀୟ ସମ୍ବିଧାନର ଧାରା ୩୫୬ରେ ରାଷ୍ଟ୍ରପତି ଶାସନର ବ୍ୟବସ୍ଥା ରହିଛି। ଯଦି କୌଣସି ରାଜ୍ୟରେ ସରକାର ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ କରିବାରେ ଅସମର୍ଥ ହୁଅନ୍ତି, ତେବେ ରାଷ୍ଟ୍ରପତି ଚାହିଁଲେ ଉକ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିପାରିବେ। ରାଜ୍ୟରେ ଯଦି କୌଣସି ଦଙ୍ଗା କିମ୍ବା ଅଶାନ୍ତି ସୃଷ୍ଟି ହୁଏ ଏବଂ ସରକାର ଏହାକୁ ସମ୍ଭାଳିବାରେ ଅସମର୍ଥ ହୁଅନ୍ତି ତାହେଲେ ମଧ୍ୟ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇପାରିବ। ଏନେଇ ସମ୍ବିଧାନରେ ଉଲ୍ଲେଖ ରହିଛି।

ସଂସଦରେ ଦୁଇ ସଦନରେ ରାଷ୍ଟ୍ରପତି ଶାସନକୁ ଅନୁମୋଦନ ମିଳିଲେ ଆଗାମୀ ୬ ମାସ ଯାଏଁ ଉକ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ। ୬ ମାସ ପରେ ରାଜ୍ୟରେ କୌଣସି ସୁଧାର ନଆସିଲେ ରାଷ୍ଟ୍ରପତି ଶାସନ ସମୟ ସୀମାକୁ ବଢ଼ାଯାଇପାରିବ। ଏହିପରି ଭାବେ ୩ ବର୍ଷ ଯାଏଁ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରିବା ନେଇ ଭାରତୀୟ ସମ୍ବିଧାନରେ ଉଲ୍ଲେଖ ରହିଛି।

ସଂଖ୍ୟାଗରିଷ୍ଠତା ନପାଇ ସରକାର ଗଢ଼ିବାରେ ଅସମର୍ଥ ହେଲେ..

ଯେତେବେଳେ ରାଜ୍ୟରେ ଗୋଟିଏ ଦଳ କିମ୍ବା ଦଳୀୟ ମେଣ୍ଟ ପାଖରେ ସଂଖ୍ୟା ଗରିଷ୍ଠତା ନଥାଏ ଏବଂ ରାଜ୍ୟରେ ସରକାର ଗଠନ ସମ୍ଭବ ହୋଇନଥାଏ, ସେହି ପରିସ୍ଥିତିରେ ଉକ୍ତ ରାଜ୍ୟରେ ୬ ମାସ ଯାଏଁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥାଏ। ଏହି ସମୟରେ ରାଜ୍ୟପାଳ ବିଧାନସଭାକୁ ୬ ମାସ ଯାଏଁ ମୁଲତବି ବା ସସ୍‌ପେଣ୍ଡ କରିଥାନ୍ତି। ଏହି ୬ ମାସ ମଧ୍ୟରେ ସରକାର ଗଠନ ନେଇ ସମ୍ଭାବନା ସୃଷ୍ଟି ନହେଲେ ରାଜ୍ୟରେ ପୁଣିଥରେ ନିର୍ବାଚନ ପାଇଁ ବିଗୁଲ ବାଜିବ।

କାହିଁକି କୁହାଯାଏ ରାଷ୍ଟ୍ରପତି ଶାସନ?

ରାଷ୍ଟ୍ରପତି ଶାସନରେ ରାଜ୍ୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଏକ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସିଧା ଦେଶର ରାଷ୍ଟ୍ରପତିଙ୍କ ହାତକୁ ଚାଲିଯାଇଥାଏ। ତେଣୁ ଏହାକୁ ରାଷ୍ଟ୍ରପତି ଶାସନ କୁହାଯାଏ। ହେଲେ ପ୍ରଶାସନିକ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟର ସମସ୍ତ ଶାସନଭାର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥାଏ। ରାଷ୍ଟ୍ରପତିଙ୍କ ପ୍ରତିନିଧି ସ୍ୱରୂପ ରାଜ୍ୟପାଳ ଉକ୍ତ ରାଜ୍ୟର ଶାସନଭାର ସମ୍ଭାଳିଥାନ୍ତି।

କ’ଣ ପଡ଼େ ପ୍ରଭାବ?

ଯେତେବେଳେ କେଉଁଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୁଏ, ସେତେବେଳ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼େ ନାହିଁ। କିନ୍ତୁ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ରାଜ୍ୟରେ ନୂତନ ନୀତି ଏବଂ ନୂତନ ଆଇନ ପ୍ରଣୟନ କରାଯାଇପାରେ ନାହିଁ।

Leave A Reply

Your email address will not be published.