୩ ମାସରେ ଜଳିଲାଣି ୩ ହଜାର ହେକ୍ଟର ଜଙ୍ଗଲ, ଗୃହରେ ସାଂଘାତିକ ତଥ୍ୟ ଦେଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ନିଆଁର ଆଁରେ ଜଙ୍ଗଲ। ଓଡ଼ିଶାରେ ପ୍ରତିବର୍ଷ ବଢିଚାଲିଛି ଜଙ୍ଗଲ ନିଆଁ। ଗତ ତିନି ମାସରେ ଜଳିଲାଣି ୩ ହଜାର ହେକ୍ଟର ଜଙ୍ଗଲ। ବିଧାନସଭାରେ ଏପରି କିଛି ସାଂଘାତିକ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ବିଧାନସଭାରେ ବିଜେଡି ବିଧାୟକ ରମେଶ ବେହେରା ଜଙ୍ଗଲ ପ୍ରସଙ୍ଗରେ ଲିଖିତ ପ୍ରଶ୍ନ ପଚାରିଥିଲେ। ଯାହାର ଲିଖିତ ଉତ୍ତର ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ରାମ ସିଂ ଖୁଣ୍ଟିଆ ଜଣାଇଛନ୍ତି ଯେ, ଓଡ଼ିଶାରେ ପ୍ରତି ବର୍ଷ ବଢିଚାଲିଛି ଜଙ୍ଗଲ ନିଆଁ। ୨୦୨୧ରେ ୨୮ ହଜାର ୫୬୯ ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ ହୋଇଥିବା ବେଳେ ୨୦୨୨ରେ ୮ ହଜାର ୪୩୮ ହେକ୍ଟର ଜଙ୍ଗଲ ପୋଡ଼ି ନଷ୍ଟ ହୋଇଛି।
ସେହିପରି ୨୦୨୩ରେ ଏହି ସଂଖ୍ୟା ବଢି ୯ ହଜାର ୭୧୧ ହେକ୍ଟର ଜଙ୍ଗଲ ଜଳିଛି। ତେବେ ଗତ ଚାରି ବର୍ଷ ମଧ୍ୟରେ ସର୍ବମୋଟ ୫୩ ହଜାର ୮୨୦ ହେକ୍ଟର ଜଙ୍ଗଲ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଦାଉରୁ କିପରି ଜଙ୍ଗଲକୁ ରକ୍ଷା କରାଯିବ। ସେନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ରାମ ସିଂ ଖୁଣ୍ଟିଆ କହିଛନ୍ତି।