ଚଳଚଞ୍ଚଳ ଏକାମ୍ରକ୍ଷେତ୍ର: ଆଜିଠୁ ପ୍ରଭୁ ଲିଙ୍ଗରାଜଙ୍କର ପବିତ୍ର ଚନ୍ଦନ ଯାତ୍ରା ଆରମ୍ଭ

ଓଏଲ୍ ବ୍ୟୁରୋ: ଚଳଚଂଚଳ ଏକାମ୍ରକ୍ଷେତ୍ର। ଆଜି ପ୍ରଭୁ ଲିଙ୍ଗରାଜଙ୍କର ପବିତ୍ର ଚନ୍ଦନ ଯାତ୍ରା ପର୍ବ। ଅକ୍ଷୟ ତୃତୀୟା ଠାରୁ ଏହା ଦୀର୍ଘ ୨୨ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଅକ୍ଷୟ ତୃତୀୟା ଉତ୍କଳର ଏକ ବିଶିଷ୍ଟ କୃଷି ଭିତ୍ତିକ ପର୍ବ ସହ ଏହିଦିନ ଯେକୌଣସି ସମୟରେ ଆପଣ ଯାହା କଲେ ତାହା ଶୁଭ ମନାଯାଏ। ଏହି ତିଥିରୁ ପୁରୀ ଶ୍ରୀମନ୍ଦିରରେ ଚନ୍ଦନ ଯାତ୍ରା ୨୧ ଦିନ ପର୍ଯ୍ୟନ୍ତ ପାଳିତ ହେଉଥିବା ବେଳେ ଏକାମ୍ର କ୍ଷେତ୍ର ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଏହା ୨୨ଦିନ ପର୍ଯ୍ୟନ୍ତ ଚାଲିଥାଏ।
ଉତ୍କଳୀୟ ପରମ୍ପରାକୁ ସମ୍ମାନ ଜଣାଇ ସାରା ଓଡ଼ିଶାରେ ଏହି ପର୍ବକୁ ନେଇ ଠାକୁରଙ୍କ ଚଳନ୍ତି ପ୍ରତିମା ଘେନି ଚାପ ଖେଳ ମାନେ ଠାକୁରଙ୍କ ନୌଯାତ୍ରା ଆରମ୍ଭ ହୁଏ। ‘ଏକାମ୍ର ଚନ୍ଦ୍ରିକା’ରେ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନୋତ୍ସବ ଏହି ଦିନରୁ ଆରମ୍ଭ ହୁଏ ବୋଲି ଉଲ୍ଲେଖ ଅଛି। ଯାତ୍ରାର ପ୍ରଥମ ଦିନ ଅର୍ଥାତ ଅକ୍ଷୟତୃତୀୟାରେ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପୁନଃ ସୂର୍ଯ୍ୟପୂଜା ଓ ଦ୍ବାରପାଳ ନୀତି କରାଯାଇ ଶ୍ରୀଜିଉଙ୍କୁ ପଙ୍ଖା ଲାଗି କରାଯାଏ। ଯାହା ପୂଜାପଣ୍ଡା ଓ ପାଳିଆ ବଡୁ ସମ୍ପାଦନା କରନ୍ତି। ଠାକୁରଙ୍କର ମହାସ୍ନାନ ଏବଂ ପୂର୍ବରୁ ଘୋରାଯାଇଥିବା ଚନ୍ଦନ ପାତ୍ରକୁ ଧରି ବେଢ଼ା ପରିକ୍ରମା କରନ୍ତି ପୂଜାପଣ୍ଡା। ପାଳିଆ ପଛୁଆ ମାନେ ସମଥା ସଙ୍ଗରେ ଥାଆନ୍ତି।
ସ୍ନାନ ପରେ ଚନ୍ଦନ ପୂଜା ପଣ୍ଡା ଠାକୁରଙ୍କ ଅଙ୍ଗରେ ପ୍ରଲେପ କରନ୍ତି। ତା’ ପରେ ପାଳିଆ ବେଶ କରାନ୍ତି ଓ ପଣା ଭୋଗ କରାଯାଏ । ପରେ ବଲ୍ଲଭ ଭୋଗ ହୋଇ ନୌବିହାର ଉଦ୍ଦେଶ୍ୟରେ ଚଳନ୍ତି ପ୍ରତିମାମାନଙ୍କୁ ବିଜେ କରାଯାଏ। ଏହି ଚଳନ୍ତି ପ୍ରତିମା ସବୁ ହେଲେ ଶ୍ରୀଲିଙ୍ଗରାଜ, ଦୁର୍ଗା, ପାର୍ବତୀ ଓ ବାସୁଦେବ। ବିଜେ ପ୍ରତିମାମାନେ ବିମାନ ଓ ପାଲିଙ୍କିରେ ନାଟମନ୍ଦିରରେ ରୁହନ୍ତି। ପରେ ଦ୍ବିପ୍ରହର ସମୟରେ ଧୂପ ହୋଇ ପହଡ଼ କରାଯାଏ। ସ୍ଵତନ୍ତ୍ର ଦ୍ଵାରପାଳ ପୂଜା, ସୂର୍ଯ୍ୟପୂଜା ଓ ମହାସ୍ନାନ କେବଳ ଅକ୍ଷୟ ତୃତୀୟା ଦିନ ହୁଏ।