‘ନୂଆ ଓଡ଼ିଶାରେ ପାଦ ପଡ଼ୁଛି, ବାଙ୍କୀ ମାଟିରେ ମେଟ୍ରୋ ରେଳ ଆସୁଛି’

ଓଏଲ୍ ବ୍ୟୁରୋ: ସରଗରମ ରାଜ୍ୟ ରାଜନୀତି। ପର୍ଯ୍ୟାୟ କ୍ରମେ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ନାମାଙ୍କନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଛି। ଏସବୁ ଭିତରେ ବିଜୁ ଜନତା ଦଳ ପାଇଁ ମାରାଥନ ପ୍ରଚାର କରୁଛନ୍ତି ଦଳର ବରିଷ୍ଠ ନେତା ଭି.କେ ପାଣ୍ଡିଆନ। ଆଜି ବାଙ୍କୀରେ ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ। ବାଙ୍କୀରେ ଆଜି ପ୍ରଚାର କରିବା ସହ ପାଣ୍ଡିଆନ୍ କହିଛନ୍ତି, ନିର୍ବାଚନ ଆସିଲେ ବଡ ବଡ ନେତାମାନେ ଆସିବେ।
ଟୁରିଷ୍ଟ ଭଳିଆ ସେମାନେ ଆସିବେ, ପଳେଇବେ। ୫ ବର୍ଷ ଆପଣ ଖୋଜିବେ ପାଇବେ ନାହିଁ। ହେଲେ ବିଜେଡିର ଦୁଇ ପ୍ରାର୍ଥୀଙ୍କୁ ବନ୍ଧୁ ବୋଲି କହି, ଏ ଦୁଇ ଜଣ ବନ୍ଧୁ ୨୪ ଘଣ୍ଟା ଆପଣଙ୍କ ପାଇଁ କାମ କରିବେ ବୋଲି ପାଣ୍ଡିଆନ୍ କହିଛନ୍ତି। ଏଥିସହିତ ନୂଆ ଓଡିଶାରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଗୋଟେ ବହୁତ ସ୍ୱତନ୍ତ୍ର ପରିଚୟ ପାଇବ। ନୂଆ ଓଡିଶାରେ ପାଦ ପଡୁଛି, ବାଙ୍କୀ ମାଟିରେ ମେଟ୍ରୋ ରେଳ ଆସୁଛି ବୋଲି ପାଣ୍ଡିଆନ୍ କହିଛନ୍ତି। ମୁଖ୍ୟମନ୍ତ୍ରୀ ଓଡିଶାକୁ ଶହେ ବର୍ଷକୁ ଆଗକୁ ନେଇ, ନମ୍ବର ଏକ କରିବାକୁ ଦିନ ରାତି ଖଟୁଛନ୍ତି। ହେଲେ ବିଜେପିର ମାନିଫେଷ୍ଟୋ କିନ୍ତୁ ଓଡିଶାକୁ ୨୫ ବର୍ଷ ପଛକୁ ନେଇଯିବ। ୨୫ ତାରିଖ ଭୋଟରେ ଆପଣମାନେ ଦେଖେଇବେ। ୨୫ ବର୍ଷ ପଛକୁ ଯିବାର ଅଛି କି, ୨୫ ବର୍ଷ ଆଗକୁ ଯିବାର ଅଛି।
ସେ ଆହୁରି ମଧ୍ୟ କହିଛନ୍ତି, ଜୁନ୍ ୯ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ। ଦାୟିତ୍ୱ ଗ୍ରହଣ କରିଲା ପରେ ପ୍ରଥମ ଦସ୍ତଖତ କରିବେ, ବିଜୁଳି ବିଲ୍ ଛାଡ କରିବେ। ଜୁଲାଇ ମାସରୁ ଆଉ ବିଜୁଳି ବିଲ୍ ଆସିବ ନାହିଁ। ଓଡିଶାର ୯୦ ପ୍ରତିଶତ ପରିବାର ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାଇବେ। ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଦେଖି ବିଜେପି ବାଲା ଡରିଗଲେ। ଏବେ ସେମାନେ କହୁଛନ୍ତି ମାଗଣା ବିଜୁଳି ଦେବେ କହିଛନ୍ତି। ୨୦୧୨ରେ ପ୍ୟାରୀ ବାବୁ କ’ଣ କରିଥିଲେ ସବୁ ଜାଣନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିଲା। ସେହି ସମୟରେ ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିଲି। ସେତେବେଳେ ମୋତେ ସହଯୋଗ କରିଛନ୍ତି ପ୍ରଭାତ ତ୍ରିପାଠୀ। ତେବେ ଭି.କେ ପାଣ୍ଡିଆନ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଛନ୍ତି।