ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ମୁତ୍ତିକା ୨୦୧୯ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ବର: ସ୍ଥାନୀୟ ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଅକ୍ଟୋବାର ୧୯ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାର୍ଷିକ ମୃର୍ତ୍ତିକା ହସ୍ତଶିଳ୍ପ ପ୍ରଦର୍ଶନକୁ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।
ଦୀପାବଳୀ ଉପଲକ୍ଷେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଦର୍ଶନୀରେ ଦିନକୁ ଦିନ ଭଡ଼ି ବଡ଼ିବାରେ ଲାଗିଛି। ଦୀପାବଳୀ ସମୟରେ ଟେରାକୋଟ ଦୀପ ସଜାଇବା ପାଇଁ ଅଧିକରୁ ଅଧିକ ସଂଖ୍ୟକ ଗ୍ରାହକ ବିଭିନ୍ନ ରଙ୍ଗବେରଙ୍ଗର ଦୀପ କିଣୁଛନ୍ତି। ମାଟି ଦୀପଗୁଡ଼ିକ କପ୍, ଫୁଲ, ପ୍ରଜାପତି ଓ କଇଁଛ ଆଦି ବିଭିନ୍ନ ଆକୃତିରେ ପ୍ରସ୍ତୁତ କରାଯାଇଛି।
ଦର୍ଶକମାନେ ଏହି ମେଳାରେ ବିଭିନ୍ନ ଟେରାକୋଟ ସାମଗ୍ରୀ ଯଥା: ମାଠିଆ, ମାଟିହାଣ୍ଡି, ଲ୍ୟାମ୍ଫ୍ ଆଦିର ପ୍ରସ୍ତୁତି ପ୍ରଣାଳୀ ଦେଖି ଖୁସି ହେଉଛନ୍ତି। ମୁତ୍ତିକା ୨୦୧୯ ବାର୍ଷିକ ମୃତ୍ତିକା ହସ୍ତଶିଳ୍ପ ପ୍ରଦର୍ଶନୀରେ ବହୁ ରଙ୍ଗବେରଙ୍ଗର ଫୁଲଦାନୀ, ହାତୀ, ଘୋଡ଼ା, ମୂର୍ତ୍ତୀ, କଣ୍ଢେଇ ଘରସଜ୍ଜା ସାମଗ୍ରୀ ଇତ୍ୟାଦି ୧୦୦ଟି ଷ୍ଟଲରେ ଉପଲବ୍ଧ ହେଉଛି। ଏପର୍ଯ୍ୟନ୍ତ ୭୦ ଲକ୍ଷ ଟଙ୍କାର ବିକ୍ରିବଟା ହୋଇଛି ବୋଲି ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ସୂତ୍ରରୁ ପ୍ରକାଶ।
ଗ୍ରାହକଙ୍କ ଭିଡ଼, ସର୍ବାସାଧାରଣଙ୍କର ଅନୁରୋଧ ଓ କାରିଗରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ମୃତ୍ତିକା ୨୦୧୯, ଟେରାକୋଟା ପ୍ରଦର୍ଶନୀକୁ ଆଉ ଦିନକ ପାଇଁ ଅର୍ଥାତ୍ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ବୋଲି ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ଦାଶ ପ୍ରକାଶ କରିଛନ୍ତି।