ମହାତ୍ମା ଗାନ୍ଧି ଦେଶର ପଥ ପ୍ରଦର୍ଶକ ଥିଲେ ଏବେ ବି ରହିଛନ୍ତି: ରାଜନାଥ

ନୂଆଦିଲ୍ଲୀ: ଲୋକସଭାରେ ଗଡସେଙ୍କୁ ନେଇ ଦେଖିବାକୁ ମିଳିଛି ତାତି। ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ଦେଶଭକ୍ତ ବୋଲି ଯେଉଁ ଦର୍ଶନ କୁହେ, ତାହାକୁ ଭାରତୀୟ ଜନତା ପାର୍ଟି କଡ଼ା ଭାଷାରେ ନିନ୍ଦା କରୁଛି। ବିଜେପି ଏଭଳି ଦର୍ଶନକୁ କେବେ ସମର୍ଥନ କରେ ନାହିଁ ବୋଲି ଲୋକସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
ଏଥିସହିତ ମହାତ୍ମା ଗାନ୍ଧି ଦେଶର ପଥ ପ୍ରଦର୍ଶକ ଥିଲେ ଏବେ ବି ରହିଛନ୍ତି ବୋଲି ଲୋକସଭାରେ କଂଗ୍ରେସ ସଂସଦ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
ଗତକାଲି ଲୋକସଭାରେ ଡିଏମକେ ସାଂସଦ ଏ. ରାଜା ଗଡସେ ପ୍ରସଙ୍ଗରେ ମତ ରଖିଥିଲେ। ଏହାପରେ ବିଜେପିର ଭୋପାଳ ସାଂସଦ ପ୍ରଜ୍ଞା ଠାକୁର ଗଡସେକୁ ଦେଶଭକ୍ତ ବୋଲି କହିଥିଲେ। ଏହାପରେ କଂଗ୍ରେସ ଗୃହରେ ହଟ୍ଟଗୋଳ କରିଥିଲା।ଆଜି ସଂସଦ ଆରମ୍ଭ ହେବା ମାତ୍ରେ ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ମହାତ୍ମ ଗାନ୍ଧିଙ୍କ ହତ୍ୟାକାରୀକୁ ଦେଶଭକ୍ତ କହିବା ନିନ୍ଦନୀୟ। ଏହାପରେ ଶାସକ ଦଳର ନେତା ଭାବରେ ରାଜନାଥ ସଂହ ଜବାବ ରଖିବାକୁ ଯାଇ ପ୍ରଜ୍ଞା ଠାକୁରଙ୍କ ମନ୍ତବ୍ୟକୁ ନିନ୍ଦା କରିଥିଲେ। ଏହାପର କକ୍ଷତ୍ୟାଗ କରିଥିଲେ କଂଗ୍ରେସ ସାଂସଦମାନେ।
ସୂଚନାଯୋଗ୍ୟ, ଆଜି ବିଜେପି ମଧ୍ୟ ପ୍ରଜ୍ଞା ଠାକୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଦଳୀୟ ସଂସଦୀୟ ବୈଠକକୁ ନଆସିବା ପାଇଁ ପ୍ରଜ୍ଞା ଠାକୁରଙ୍କୁ କହିଛି। ସେହିପରି ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ବୋର୍ଡରୁ ପ୍ରଜ୍ଞା ଠାକୁରଙ୍କୁ ହଟାଇ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ।