ନାବାଳିକାଙ୍କୁ ଦଳି ମାରିଦେଲା ହାତୀ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଦୁଇ ଦିନ ହେବ ହାତୀର ଉତ୍ପାତ ଜାରି ରହିଛି। ଏହି ହାତୀ ଏବେ ଉଭୟ ବନ ବିଭାଗ ଓ ଜନ ସାଧାରଣଙ୍କ ନିଦ ହଜାଇ ଦେଇଛି।
ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସାହରପଡା ବ୍ଲକ ତେଣ୍ଡେରା ପଞ୍ଚାୟତ ହରିହରପୁର ଗ୍ରାମରେ ଜଣେ ୧୦ ବର୍ଷର ନାବଳିକାଙ୍କୁ କଚାଡି ମାରିବା ପରେ ମେଦିନିପୁରରେ ଦୁଇଟି ଘର ଓ ଭଣ୍ଡାରିବିଲାରେ ଜଣଙ୍କର ଘର ଭାଙ୍ଗିଦେଇଛି ହାତୀ। ଏଥିସହିତ ଗୁଳୁଦିପଶି ଗ୍ରାମରେ ଦୁଇ ଘର ତୁଳସୀପୁର ଗୋଟିଏ ଘର, ଡୁମୁରିଡିହା ଗ୍ରାମରେ ଗୋଟିଏ ଘରକୁ ହାତୀ ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛି। ଗୋଠ ଛଡା ଦନ୍ତାହାତୀ ଏବେ ଦହିବହାଳି ଗାଁ ନିକଟ ଗୋବରାବେଡା ରିଜର୍ଭ ଫରେଷ୍ଟରେ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ହାତୀ ଘଉଡାଇବା ପାଇଁ ବନ ବିଭାଗ ଉଚିତ୍ ପଦକ୍ଷେପ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି।
ନାବାଳିକାଙ୍କ ମୃତ୍ୟୁ ପ୍ରତିବାଦରେ ୨୨୦ ନମ୍ବର ରାଜପଥ ବଡ଼ବିଲ ନିକଟରେ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ । କ୍ଷତିପୂରଣ ଦାବି ଓ ଘରେ କେହି ନଥିବା ବେଳେ ପୋଲିସ ବଳ ପୂର୍ବକ ଶବ ନେଇଯାଇଥିବା ଅଭିଯୋଗ କରିଛନ୍ତି ଲୋକେ।