ରାଜ୍ୟରେ ୧୦ ଦିନ ପାଇଁ ଖାଦ୍ୟ ମହଜୁଦ, ହିତାଧିକାରୀଙ୍କ ଘରେ ପହଞ୍ଚିବ ସାମଗ୍ରୀ

ଭୁବନେଶ୍ବର: ସାରା ରାଜ୍ୟରେ ଲକ୍ଡାଉନ୍ ଘୋଷଣା ହୋଇଥିବା ବେଳେ ରାଜ୍ୟ ସରକାର ଆଜି ବଡ଼ ଘୋଷଣା କରିଛନ୍ତି। ୧୦ ଦିନ ପାଇଁ ଖାଦ୍ୟ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ରାଜ୍ୟରେ ମହଜୁଦ ଥିବା କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ରାଜ୍ୟର ସମସ୍ତ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ସେ ଅନୁରୋଧ କରିଛନ୍ତି। ହିତାଧିକାରୀଙ୍କ ଘରେ ପିଡିଏସ୍ ସାମଗ୍ରୀ ପହଞ୍ଚାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ଏ ନେଇ ସବୁ ଜିଲ୍ଲାପାଳଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦଳ ନିର୍ବିଶେଷରେ ସମସ୍ତ ସରପଞ୍ଚ ଓ ଅନ୍ୟ ପଞ୍ଚାୟତ ସଦସ୍ୟଙ୍କୁ ସହଯୋଗ ପାଇଁ ଆଗେଇ ଆସିବାକୁ ଶ୍ରୀ ସ୍ବାଇଁ ଆହ୍ବାନ ଦେଇଛନ୍ତି। ଖାଦ୍ୟ ସାମଗ୍ରୀ ସହ ଭତ୍ତା ମଧ୍ୟ ଘରେ ପହଞ୍ଚାଇ ଦିଆଯିବ ବୋଲି ସରକାର ସୂଚନା ଦେଇଛନ୍ତି। ସେହିଭଳି ସାମଗ୍ରୀ କଳାବଜାର ଓ ମୂଲ୍ୟ ବୃଦ୍ଧି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସ୍ବାସ୍ଥ୍ୟ କ୍ଷେତ୍ରରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଛାଡ଼ି ରାଜ୍ୟ ସାରା ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି।