୯ମ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ନବମ ଦିନ ପାଇଁ ଦେଶରେ ବଢ଼ିଛି ତୈଳ ଦର। ପେଟ୍ରୋଲ ଲିଟର ପିଛା ୪୮ ପଇସା ବଢିଥିବା ବେଳେ ଡିଜେଲ୍ ଲିଟର ପିଛା ୫୯ ପଇସା ବୃଦ୍ଧି ପାଇଛି। ଏହାପରେ ଏବେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ପହଞ୍ଚିଛି ୭୬ ଟଙ୍କା ୨୬ ପଇସାରେ। ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ପହଞ୍ଚିଛି ୭୪ ଟଙ୍କା ୬୨ ପଇସାରେ।
ସୂଚନାଥାଉକି, ଗତ ୯ ଦିନ ଧରି ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିବାରେ ଲାଗିଛି। ବିଶ୍ୱ ବଜାରରେ ଅଶୌଧିତ ତୈଳ ଦର ବଢ଼ିନଥିବା ବେଳେ ଭାରତରେ ପେଟ୍ରୋଲ, ଡିଜେଲ୍ ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ଏହି ୯ ଦିନ ମଧ୍ୟରେ ପେଟ୍ରୋଲ ୫ ଟଙ୍କା ୧୪ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ୫ ଟଙ୍କା ୨୩ ପଇସା ମହଙ୍ଗା ହୋଇଛି।
ଆଗକୁ ଓଡ଼ିଶାରେ ମଧ୍ୟ ପେଟ୍ରୋଲ୍ ଦର ଆକାଶ ଛୁଆଁ ହେବ। କାରଣ ମେ ୧୬ ତାରିଖ ମଧ୍ୟ ରାତ୍ରିରୁ ପେଟ୍ରୋଲ, ଡିଜେଲ ଉପରେ ଭାଟ୍ ବଢ଼ାଥିଲେ ରାଜ୍ୟ ସରକାର। ଡିଜେଲ୍ ଉପରେ ଭାଟ୍ ୨୬%ରୁ ୨୮%କୁ ବଢ଼ିଥିବା ବେଳେ ପେଟ୍ରୋଲ ଉପରେ ଏହା ୨୬ରୁ ୩୨% ଭାଟ୍ ବଢ଼ିଥିଲା।
ଅପରପକ୍ଷେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ିବା ନେଇ ଶନିବାର ସରକାରଙ୍କୁ ଟାର୍ଗେଟ୍ କରିଥିଲା କଂଗ୍ରେସ। ବିଜେପି ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ହାଇ ଟ୍ୟାକ୍ସ ଲଗାଇ ସାଧାରଣ ଲୋକଙ୍କ ଉପରେ ଅଧିକ ବୋଝ ସୃଷ୍ଟି କରୁଛି ବୋଲି କଂଗ୍ରେସ କହିଥିଲା।