୧୪୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ବିନା ଦର୍ଶକରେ”ଟେଷ୍ଟ” ମ୍ୟାଚ

ଓଏଲ୍ ବ୍ୟୁରୋ: ମହାମାରୀ କରୋନା ପାଇଁ ସାରା ବିଶ୍ବ ଚିନ୍ତିତ। ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଅନେକ ଦେଶ ଲକ୍ଡାଉନ୍ କଟକଣା କାର୍ଯ୍ୟକାରୀ କରିଥିଲେ। ଫଳରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସବୁ ସ୍ଥଗିତ ରହିଥିଲା। କରୋନା ଓ ଲକ୍ଡାଉନ୍ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଭଲ ଖବର। କାରଣ ଆଜିଠୁ ଇଂଲଣ୍ଡରେ ଆରମ୍ଭ ହେଉଛି ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ୩ଟିକିଆ ଟେଷ୍ଟ ସିରିଜ। ହେଲେ ଖେଳ ଦେଖିବାକୁ ଷ୍ଟାଡିୟମରେ କୌଣସି ଦର୍ଶକ ନଥିବେ କି ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ କୌଣସି ଫ୍ୟାନ୍ ନଥିବେ। ମହାମାରୀ କରୋନା କାରଣରୁ ବିନା ଦର୍ଶକରେ ମ୍ୟାଚ ଅନୁଷ୍ଠିତ ହେବ।
ମହାମାରୀ କରୋନା ପାଇଁ ଟେଷ୍ଟ କ୍ରିକେଟର ୧୪୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ବିନା ଦର୍ଶକରେ ମ୍ୟାଚ ଖେଳାଯିବ। ୧୮୭୭ ମସିହା ମାର୍ଚ୍ଚ ୧୫ ତାରିଖରେ ପ୍ରଥମ ଟେଷ୍ଟ ଖେଳିଥିବା କ୍ରିକେଟର ଜନକ ଇଂଲଣ୍ଡ ହିଁ ଏହାର ମୁକ ଶାଖି ରହିବ। ପ୍ରାୟ ୪ମାସ ପରେ ଆଜି ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳାଯିବ। ଆଜି ଅପରାହ୍ନ ୩ଟା ୩୦ ମିନିଟରେ ଇଂଲଣ୍ଡର ସାଉଥ ହମଟନରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ଟିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ।
୧୨୭ ଦିନ ପରେ ଟେଷ୍ଟ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଖେଳାଳିଙ୍କୁ କୋଭିଡ ନିୟମ ପାଳନ କରିବା ଜରୁରୀ ଅଟେ। ଏଥିସହିତ ବଲ୍ରେ ଲାଳ ବା ଛେପ ନଲଗାଇବା ପରମ୍ପରା ମଧ୍ୟ ଆଜିଠୁ ଲାଗୁ ହେବ। ୧୧୬ ଦିନ ପରେ ଅନ୍ତର୍ଜାତୀୟ ମ୍ୟାଚ ଦେଖିବାକୁ ସୁଯୋାଗ ପାଇବେ କ୍ରିକେଟ ପ୍ରେମୀ। ମାର୍ଚ୍ଚ ୧୩ରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦେଖିବାକୁ ମିଳିଥିଲା।