ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ ୨୦୨୦: ବିରାଟଙ୍କୁ ଫିଟ୍ନେସ୍ ମନ୍ତ୍ର ପଚାରିଲେ ମୋଦି

ନୂଆଦିଲ୍ଲୀ: ଫିଟ୍ ଇଣ୍ଡିଆ ମୁଭମେଣ୍ଟର ପ୍ରଥମ ବାର୍ଷିକୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଫିଟ ଇଣ୍ଡିଆ ଡାଏଲଗ୍ ୨୦୨୦ ଇଭେଣ୍ଟରେ ଦେଶକୁ ଫିଟ ରହିବା ପାଇଁ ଅନୁପ୍ରାଣିତ କରୁଥିବା ବ୍ୟକ୍ତିତ୍ବଙ୍କୁ ସାମିଲ କରି ସେମାନଙ୍କୁ ପ୍ରଧାନମନ୍ତ୍ରୀ ସେମାନଙ୍କ ଫିଟନେସ୍ ମନ୍ତ୍ର ପଚାରିଛନ୍ତି। କରୋନା ଯୋଗୁ ଏ କାର୍ଯ୍ୟକ୍ରମକୁ ଭର୍ଚୁଆଲ ଭାବେ ଆୟୋଜିତ କରାଯାଇଛି।
ଏହି ଇଭେଣ୍ଟରେ ଆକର୍ଷଣ ପାଲଟିଥିଲେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଏବଂ ମଡେଲ-ଅଭିନେତା ମିଲିନ୍ଦ ସୋମନ। ପ୍ରଧାନମନ୍ତ୍ରୀ ମୋଦି ବିରାଟଙ୍କୁ ଫିଟନେସ୍ ରାଜ୍ ବିଷୟରେ ପଚାରିଥିଲେ। ବିରାଟ ନିଜ ଫିଟନେସ ନେଇ କହିଥିଲେ ଯେ, ସଠିକ୍ ଖାଦ୍ୟ ଖାଇବା ସହ ପ୍ରତିଦିନ ବ୍ୟାୟମ କରିବା ଜରୁରୀ। ଫିଟନେସ୍ ସମସ୍ତଙ୍କ ପାଇଁ ଏକ ପ୍ରାଥମିକତା ହେବା ଉଚିତ୍ ବୋଲି ବିରାଟ କହିଥିଲେ। ବିରାଟ ଅହୁରି ମଧ୍ୟ କହିଥିଲେ, ମୁଁ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ପାଉଛି। ଯେଉଁ ପିଢିରୁ ଆମେ ଖେଳିବା ଆରମ୍ଭ କଲୁ, ସେବେଠୁ ଫିଟନେସକୁ ନେଇ କେତେକ ଜିନିଷ ବଦଳି ଯାଇଛି। ପ୍ରଥମେ ଖେଳକୁ ଠିକ୍ କରିବା ପାଇଁ ଫିଟନେସ୍ ମିଶନ ଆରମ୍ଭ ହୋଇଥିଲା। ଏବେ ପ୍ରାକ୍ଟିସ୍ ମିସ୍ ହୋଇଗଲେ ଖରାପ ଲାଗୁନି। କିନ୍ତୁ ଫିଟନେସ୍ ମିସ୍ ହୋଇଗଲେ ଖରାପ ଲାଗୁଛି।
ପ୍ରଧାନମନ୍ତ୍ରୀ ମୋଦି ମିଲିନ୍ଦଙ୍କୁ ତାଙ୍କ ବୟସ ପଚାରିଥିଲେ, ଏହାର ଉତ୍ତରରେ ମିଲିନ୍ଦ ସୋମନ୍ ହସିବା ପରେ କହିଥିଲେ ଯେ ସାର୍, ଲୋକମାନେ ପ୍ରାୟତଃ ମୋତେ ମୋର ବୟସ ପଚାରିଥାନ୍ତି। ମୋତେ ୫୫ବୟସ ବୋଲି କେହି ବିଶ୍ବାସ କରନ୍ତି ନାହିଁ। କେବଳ ମୁଁ ନୁହେଁ ମୋ ମା’ ମଧ୍ୟ ୮୧ବର୍ଷ ବୟସରେ ଫିଟ ଅଛନ୍ତି।