Odisha Link
Bridging the Missing Links in Odisha

ଅଶାନ୍ତ ବାଣୀବିହାର, କୁଳପତିଙ୍କ ଅଫିସ୍‌ ଘେରିଲେ ଛାତ୍ର

ଭୁବନେଶ୍ୱର: ଉତ୍କଳ ବିଶ୍ୱ ବିଦ୍ୟାଳୟ ଖୋଲୁ ଖୋଲୁ କ୍ୟାମ୍ପସ୍‌ରେ ଛାତ୍ର ଅଶାନ୍ତ ଜୋରଧରିଛି। ଗତକାଲି ଛାତ୍ରାବାସରେ ଦବ୍‌ଦବାକୁ କେନ୍ଦ୍ରକରି ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଆଜି କୁଳପତିଙ୍କ ଅଫିସ୍‌ ଘେରିଛନ୍ତି ଛାତ୍ର। କାଲିର ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ କୁଳପତିଙ୍କ ଅଫିସ୍‌ ଘେରିଛନ୍ତି ଛାତ୍ର।

ଛାତ୍ରାବାସରେ ନିଜର ପତିଆରା ଓ ଦବଦବା ଜାହିର କରିବାକୁ ଛାତ୍ରଗୋଷ୍ଠୀ ମଧ୍ୟରେ ଦୀର୍ଘ ବର୍ଷ ଧରି ଛକାପଞ୍ଝା ଲାଗି ରହିଛି। ମାର୍‌ପିଟ୍‌, ହଣାକଟା ଆଉ ଗୋଷ୍ଠୀ ସଂଘର୍ଷର ଅନେର ସମୟରେ ସାମ୍ୱାକୁ ଆସୁଛି। କୋଭିଡ୍‌ କଟକଣା ପରେ ଗତ ସପ୍ତାହେ ହେଲା ହଷ୍ଟେଲ ଖୋଲିଛି।ତଥାପି କ୍ୟାମ୍ପସ୍‌ର ଏକ ଛାତ୍ରାବାସରେ ଦବ୍‌ଦବାକୁ କେନ୍ଦ୍ରକରି ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

ଗୋପବନ୍ଧୁ ଛାତ୍ରାବାସ ନମ୍ବର ୱାନ୍‌ ସାମ୍ନାରେ ସୋମବାର ରାତି ସାଢ଼େ ୮ଟାରେ ୨ ଗୋଷ୍ଠୀର ଛାତ୍ରମାନେ ମାର୍‌ପିଟ୍‌ ଧସ୍ତାଧସ୍ତି ହୋଇଥିଲେ। କ୍ୟାମ୍ପସ୍‌ରେ ଦୀର୍ଘ ଘଣ୍ଟାଏ ଧରି ଉତ୍ତେଜନା ଲାଗି ରହିଥିଲା। ଏଥିରେ ଦୁଇ ଗୋଷ୍ଠୀରୁ ୫ ଆହତ ହୋଇଛନ୍ତି। ଆହତ ଛାତ୍ର ହେଲେ ଭାବରଞ୍ଜନ ବେହେରା, ରାଜେଶ ପରିଡ଼ା, ସ୍ୱଂୟଜିତ୍‌ ପଟ୍ଟନାୟକ, ସନ୍ତୋଷ ନାୟକ ଓ ଶିବଶକ୍ତି ଦିଗଲ।

ଗତକାଲି ରାତି ସାଢ଼େ ୯ଟା ବେଳକୁ ସହିଦ୍‌ନଗର ଥାନା ପୋଲିସର ଏକ ଟିମ୍‌ କ୍ୟାମ୍ପସ ଭିତରକୁ ଯାଇଥିଲା।ସେତେବେଳକୁ ଗୋଟିଏ ଛାତ୍ର ଗୋଷ୍ଠୀ ପକ୍ଷରୁ ହଷ୍ଟେଲ ସାମ୍ନାରେ ଧାରଣା ଦିଆଯାଇଥିଲା। ସେମାନେ ନାରାବାଜି ଚଳାଇ ଥିଲେ। ପୋଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡି଼ଥିଲା।

ଧାରଣାରେ ବସିଥିବା ଛାତ୍ରମାନଙ୍କ ଅଭିଯୋଗ ଅନୁଯାୟୀ, ଅନ୍ୟ ଗୋଷ୍ଠୀର ଛାତ୍ରନେତାମାନେ ଦୀର୍ଘ ଦିନ ଧରି ହଷ୍ଟେଲରେ ଜୁଲୁମ୍‌ ଚଳାଇଛନ୍ତି। ସେମାନଙ୍କ କାରନାମାରେ ହଷ୍ଟେଲ ଅନ୍ତେବାସୀମାନେ ଅତିଷ୍ଠ ହୋଇଗଲେଣି। ହଷ୍ଟେଲ ଖୋଲିବା ଦିନଠୁ ଅର୍ଥାତ ୧୧ ତାରିଖରୁ ହଷ୍ଟେଲରେ ଉକ୍ତ ଗୋଷ୍ଠୀର ରାଜ୍‌ ଚାଲିଛି। ଏହାକୁ ନେଇ ସେମାନେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଆଶିଷ ଚନ୍ଦ୍ର ପାଥୀଙ୍କୁ ସୋମବାର ଅଭିଯୋଗ ମଧ୍ୟ କରିଥିଲେ।