Odisha Link
Bridging the Missing Links in Odisha

ହାଇସ୍କୁଲ ବହି କିଣା: ଲାଞ୍ଚ ପାଇଁ ଖୋଲା ବିଜ୍ଞାପନ

ଭୁବନେଶ୍ବର: ଓଡ଼ିଶାର ସମସ୍ତ ଉଚ୍ଚବିଦ୍ୟାଳୟ ସରକାରୀ ଯୋଜନାରେ ପାଠାଗାର ନିମନ୍ତେ ଓଡ଼ିଶାର ବିଭିନ୍ନ ପ୍ରକାଶକଙ୍କ ଠାରୁ ବହି କିଣିବେ। ଏ ନେଇ ସରକାରୀ ପ୍ରକ୍ରିୟା ଚୂଡ଼ାନ୍ତ ହୋଇ ନ ଥିବା ବେଳେ ବିଭିନ୍ନ ଜିଲ୍ଲାରେ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ନିଜ ବ୍ୟାବସାୟିକ ଜାଲରେ ଛନ୍ଦିବା ପାଇଁ ଆରମ୍ଭ ହୋଇଗଲାଣି ଫନ୍ଦିଫିକର। ବିଗତ ଦୁଇ ବର୍ଷ ଧରି ରାଜ୍ୟର ମୁଷ୍ଟିମେୟ ପ୍ରକାଶନ ସଂସ୍ଥା କଳ, ବଳ ଓ କୌଶଳ ଲଗାଇ ହାଇସ୍କୁଲମାନଙ୍କୁ ନିଜର ବହି ଯୋଗାଇବା ସହ କୋଟି କୋଟି ଟଙ୍କା ମୁନାଫା ହାସଲ କରିଛନ୍ତି। ଚଳିତ ବର୍ଷ ସରକାରୀ ବିଧିବ୍ୟବସ୍ଥାକୁ କୋଣଠେସା କରି ଅନୁରୂପ ଭାବେ ପୁଣି ବଜାରକୁ ନିଜ କବ୍‌ଜାକୁ ନେବା ଲାଗି କିଛି ପ୍ରକାଶକ ଉଦ୍ୟମ ଆରମ୍ଭ କରିଛନ୍ତି। ସରକାର ବହି ତାଲିକା ଏଯାଏଁ ଚୂଡ଼ାନ୍ତ କରିନଥିବା ବେଳେ, ନିଜର ବହି ବିକିବା ପାଇଁ ଆଜି କିଛି ପ୍ରକାଶକ ଏକ ଖବରକାଗଜରେ ବିଜ୍ଞାପନ ଦେଇଛନ୍ତି। ସେମାନଙ୍କ ଠାରୁ ବହି କିଣିଲେ ରିହାତି ସାଙ୍ଗକୁ ଉଚ୍ଚ କମିଶନ୍‌ (ପ୍ରକାରାନ୍ତରେ ଲାଞ୍ଚ) ଦିଆଯିବ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଛି।

ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ସାଙ୍ଗକୁ ପୁସ୍ତକ ପଠନ ଅଭ୍ୟାସ ବଢ଼ାଇବା ପାଇଁ ରାଜ୍ୟର ସବୁ ବିଦ୍ୟାଳୟରେ ପାଠାଗାର ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଯୋଜନାରେ ଗତ ଦୁଇ ବର୍ଷ ଧରି (୨୦୧୯ ମସିହା ଠାରୁ) ପାଠାଗାର ପାଇଁ ବିଦ୍ୟାଳୟମାନଙ୍କୁ ଆର୍ଥିକ ଅନୁଦାନ ଦିଆଯାଉଛି। ତେବେ ସରକାରଙ୍କ ଏ ଯୋଜନାର ଫାଇଦା ନେବାରେ ସଫଳ ହୋଇଛନ୍ତି ଅଳ୍ପ କେତେକ ପ୍ରକାଶକ। ଚଳନ୍ତି ବହି ସାଙ୍ଗକୁ ବିକ୍ରି ହୋଇ ନ ପାର ପଡ଼ିରହିଥିବା ବହି ସବୁକୁ ଗତ ଦୁଇବର୍ଷରେ ଉଚ୍ଚ ବିଦ୍ୟାଳୟମାନଙ୍କୁ ଯୋଗାଇ କୋଟି କୋଟି ଟଙ୍କା ଆୟ କରିଛନ୍ତି ନିର୍ଦ୍ଦିଷ୍ଟ କିଛି ପ୍ରକାଶକ। ବହି କିଣା ନେଇ ସରକାର କୌଣସି ନୀତି ନିର୍ଦ୍ଧାରଣ କରି ନଥିବାରୁ ଗତ ଦୁଇ ବର୍ଷ ସେହି ପ୍ରକାଶକମାନେ ମନ ଇଚ୍ଛା ବ୍ୟବସାୟ କରିଛନ୍ତି। ଅନ୍ୟ ପ୍ରକାଶକମାନଙ୍କୁ ବଜାରରେ ପ୍ରବେଶ କରିବାର ସୁଯୋଗ ନ ଦେଇ ହାତଗଣତି କେତେଜଣ ସାରା ରାଜ୍ୟରେ ବହି ବିକ୍ରି କରିବାରେ ସମର୍ଥ ହୋଇଛନ୍ତି।

ତେବେ ପ୍ରଭାବୀ ପ୍ରକାଶକଙ୍କ ଏତାଦୃଶ ଏକଚାଟିଆ ଲାଭଖୋର ମନୋବୃତ୍ତିକୁ ବନ୍ଦ କରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଖରେ ବାରମ୍ବାର ଅଭିଯୋଗ ହେବା ପରେ ସରକାର ଏ ବର୍ଷ ଠାରୁ ବହି କିଣା ପାଇଁ ଭିନ୍ନ ବ୍ୟବସ୍ଥା ଆପଣେଇଛନ୍ତି। ରାଜ୍ୟର ପ୍ରକାଶକଙ୍କ ଠାରୁ ସରକାର ଟେଣ୍ଡର ମାଧ୍ୟମରେ ବହି ଆହ୍ବାନ କରିଛନ୍ତି। ଟେଣ୍ଡର ପକାଇବାର ଶେଷ ତାରିଖ (୧୦ ଫେବ୍ରୁଆରୀ ୨୦୨୧) ସୁଦ୍ଧା ୧୩୦ଟି ପ୍ରକାଶନ ସଂସ୍ଥା ନିଜର ବହି ଦାଖଲ କରିଥିଲେ। ଫେବ୍ରୁଆରୀ ୧୨ ତାରିଖରେ ପ୍ରକାଶକମାନଙ୍କ ସାମନାରେ ସଂସ୍କୃତି ନିର୍ଦ୍ଦେଶକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ପ୍ରକାଶକମାନଙ୍କ ଆବେଦନ ଯାଞ୍ଚ କରାଯିବା ସହ ଏମାନଙ୍କ ମଧ୍ୟରୁ ୧୨୩ ଜଣ ପ୍ରକାଶକ ଯୋଗ୍ୟ ବିବେଚିତ ହୋଇଥିଲେ। ଚଳିତ ମାସ ୧୮ ତାରିଖରୁ ଏହି ଯୋଗ୍ୟ ପ୍ରକାଶକମାନେ ଆବେଦନ କରିଥିବା ବହି ସବୁ ଯାଞ୍ଚ କରାଯାଇ ଏକ ଚୂଡ଼ାନ୍ତ ବହି ତାଲିକା ପ୍ରସ୍ତୁତ କରାଯାଉଛି। ଏହି ପ୍ରକ୍ରିୟା ୨୩ ତାରିଖ ଯାଏଁ ଚାଲିବ। ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହେବା ପରେ ତାହା ସମସ୍ତ ଉଚ୍ଚ ବିଦ୍ୟାଳୟକୁ ପଠାଯିବ ଓ ବିଦ୍ୟାଳୟର ପାଠାଗାର ପାଇଁ କେବଳ ସେହି ତାଲିକାରେ ଅନୁମୋଦିତ ପୁସ୍ତକ ହିଁ କିଣାଯାଇ ପାରିବ ବୋଲି ସରକାର ଧାର୍ଯ୍ୟ କରିଛନ୍ତି।

ତେବେ ସରକାରଙ୍କର ଏ ପ୍ରକ୍ରିୟା ଅତ୍ୟନ୍ତ ସ୍ବଚ୍ଛ ଓ ଉଚିତ ହୋଇଥିବା ବେଳେ ଏ ବର୍ଷ ମଧ୍ୟ ବହି ବଜାରକୁ କବ୍‌ଜାକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ମୁଷ୍ଟିମେୟ ପ୍ରକାଶକ। ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହେବାକୁ ଆହୁରି ତିନିଦିନ ବାକି ଥିବା ବେଳେ ଆଜି ଏକ ଖବରକାଗଜରେ ବହି ବିକ୍ରି ପାଇଁ ନିର୍ଦ୍ଦିଷ୍ଟ କିଛି ଜିଲ୍ଲାର ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରାଯାଇଛି। ପ୍ରକାଶିତ ବିଜ୍ଞାପନରେ ଖୋଲାଖୋଲି ଚଢ଼ା ଲାଞ୍ଚ ଯଚାଯାଇଛି। ୧୫% ବା ତହିଁରୁ ଅଧିକ ରିହାତି ପାଇଁ ସରକାର ବ୍ୟବସ୍ଥା କରିଥିବା ବେଳେ ଏହା ବାଦ୍‌ ପୁସ୍ତକ କ୍ରୟ ଉପରେ ଉଚ୍ଚ କମିଶନ୍‌ ଦିଆଯିବ ବୋଲି ଉକ୍ତ ପ୍ରକାଶକମାନେ ବିଜ୍ଞାପନରେ ଉଲ୍ଲେଖ କରିଛନ୍ତି। ୧୨୩ଟି ପ୍ରକାଶନ ସଂସ୍ଥା ସରକାରୀ ଭାବେ ବହି ବିକ୍ରି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ହେଁ, ବିଗତ ଦୁଇବର୍ଷ ଭଳି ପୁଣି ନିଜ କବ୍‌ଜାରେ ବଜାରକୁ ରଖିବା ପାଇଁ କିଛି ପ୍ରକାଶକ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

ତାଲିକା ପ୍ରକାଶନ ପୂର୍ବରୁ ଏଭଳି ବିଜ୍ଞାପନ ଓ ତହିଁରେ କମିଶନ୍‌ର ଲୋଭ ଦେଖାଇବା ସମ୍ପୂର୍ଣ୍ଣ ଆଇନ ବିରୁଦ୍ଧ ହୋଇଥିବା ବେଳେ ସରକାର ଏ ନେଇ ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଅନ୍ୟ ପ୍ରକାଶକମାନେ ଦାବି କରିଛନ୍ତି। ବ୍ୟକ୍ତିଗତ ଫାଇଦା ପାଇଁ ସରକାରଙ୍କ ସ୍ବଚ୍ଛ ବ୍ୟବସ୍ଥାକୁ ବଦନାମ କରାଯାଉଛି ବୋଲି ପ୍ରକାଶକମାନେ ମତ ଦେଇଛନ୍ତି।

Comments are closed.