କର୍ଣ୍ଣାଟକ: ଆସ୍ଥା ଭୋଟରେ ଆସ୍ଥା ଜିଣିଲେ ୟେଦ୍ୟୁରୁପ୍ପା, ବାଚସ୍ପତି ଦେଲେ ଇସ୍ତଫା

ବେଙ୍ଗାଲୁରୁ: ପରିଶେଷରେ କର୍ଣ୍ଣାଟକ ରାଜନୀତିରେ ଲାଗିରହିଥିବା ନାଟକର ଯବନିକା ପଡ଼ିଛି। କାରଣ ଆସ୍ଥା ଭୋଟରେ ବାଜିମାତ କରିଛି ୟେଦ୍ୟୁରୁପ୍ପାଙ୍କ ସରକାର। ଆଜି ମୁଖ୍ୟମନ୍ତ୍ରୀ ବିଏସ୍. ୟେଦ୍ୟୁରୁପ୍ପା କର୍ଣ୍ଣାଟକା ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛନ୍ତି। ୧୪ ବିଦ୍ରୋହୀ ବିଧାୟକ ଗତକାଲି ବାଚସ୍ପତି କେଆର ରମେଶ କୁମାରଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହେବା ପରେ ସେ ଆଜି ତାଙ୍କ ସମର୍ଥନରେ ୧୦୫ ବିଧାୟକଙ୍କ ଭୋଟ୍ ବାଚନିକା ମାଧ୍ୟମରେ ପାଇଥିଲେ। ଫଳରେ ସେ ଗୃହରେ ଆଗାମୀ ୬ ମାସ ପାଇଁ ସରକାରରେ ରହିବା ସ୍ପଷ୍ଚ ହୋଇଯାଇଛି।
ମୋଟ୍ ଅଯୋଗ୍ୟ ଘୋଷିତ ୧୭ ବିଧାୟକଙ୍କ ସ୍ଥାନରେ ହେବାକୁ ଥିବା ଉପ ନିର୍ବାଚନରେ ଯଦି ବିଜେପି ଅଧିକ ଆସନ ନ ଜିତେ ତାହେଲେ ପୁଣିଥରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇପାରନ୍ତି ୟେଦ୍ୟୁରୁପ୍ପା। ଆଜି ଆସ୍ଥା ଭୋଟ ଜିତିବା ପରେ ସେ ପ୍ରତିହିଂସା ପରାୟଣ ହୋଇ କିଛି କରିବେ ନାହିଁ ବୋଲି ବିରୋଧୀଙ୍କୁ ଆଶ୍ୱସ୍ତ କରିଛନ୍ତି। ଏଥିସହ ସେ ‘ଭୁଲି ଯିବା ଏବଂ କ୍ଷମା କରିଦେବା’ ନୀତି ପାଳନ କରିବେ ବୋଲି କହିଛନ୍ତି। ଅପରପକ୍ଷେ ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ବିଏସ୍. ୟେଦ୍ୟୁରୁପ୍ପା ଜିତିବା ପରେ ବାଚସ୍ପତି କେଆର ରମେଶ କୁମାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସୂଚନାଥାଉକି, ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାର ଭାଙ୍ଗିବା ପରେ ଗତ ଶୁକ୍ରବାର ବିଜେପି ବିଧାୟକ ଦଳର ନେତା ୟେଦ୍ୟୁରୁପ୍ପା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।