Odisha Link
Bridging the Missing Links in Odisha

କର୍ଣ୍ଣାଟକ: ବିଜେପି ପାଇଁ ଅଡ଼ୁଆ ବଢ଼ୁଛି, ବାଚସ୍ପତିଙ୍କୁ ହଟାଇବାକୁ ଉଦ୍ୟମ!

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତି ଏବେ ସାରା ଦେଶରେ ଚର୍ଚ୍ଚାରେ। ମେଣ୍ଟ ସରକାର ଭାଙ୍ଗିବା ପରେ ଗତକାଲି ବିଜେପି ନେତା ବିଏସ୍‌ ୟେଦ୍ଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପୂର୍ବ ମେଣ୍ଟ ସରକାରରେ ଥିବା ବିଦ୍ରୋହୀ ବିଧାୟକଙ୍କ ପାଇଁ ବିଜେପି କ୍ଷମତାକୁ ଫେରିଛି। ତେବେ ଗୁରୁବାର ଇସ୍ତଫା ଦେଇଥିବା ୩ ବିଧାୟକଙ୍କୁ ଵାଚସ୍ପତି କେ ରମେଶ କୁମାର ଅଯୋଗ୍ୟ ଘୋଷଣା କରିଥିଲେ। ବାକି ୧୪ ବିଦ୍ରୋହୀ ବିଧାୟକଙ୍କ ବାବଦରେ ସେ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଥିଲେ। ଶାସକ ଦଳ ବିଜେପିକୁ ଗୃହ ଚଳାଇବା ପାଇଁ କଷ୍ଟକର ହୋଇପାରେ। କାରଣ ବାଚସ୍ପତି ପଦରେ କଂଗ୍ରେସ ବିଧାୟକ କେ ରମେଶ କୁମାର ଅଛନ୍ତି। ଯଦି ବର୍ତ୍ତମାନର ବାଚସ୍ପତି ବିଦ୍ରୋହୀ ୧୪ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଦିଅନ୍ତି ତାହେଲେ ବିଜେପି ପାଇଁ ଚିନ୍ତାର କାରଣ ହୋଇପାରେ। ତେଣୁ ବିରୋଧୀ ଦଳର ବିଦ୍ରୋହୀ ବିଧାୟକଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ବିଧାନସଭାରେ ବାଚସ୍ପତି କେ ରମେଶ କୁମାରଙ୍କୁ ପଦଚ୍ୟୁତ କରିବା ପାଇଁ ଶାସକ ଦଳ ଏକ ପ୍ରସ୍ତାବ ଆଣିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଯଦି ଏହି ପ୍ରସ୍ତାବକୁ ଗୃହର ଅଧିକାଂଶ ବିଧାୟକ ସମର୍ଥନ କରିବେ ତାହେଲେ ଏହି ପ୍ରସ୍ତାବ ପାରିତ ହେବ। ଏଥିସହିତ ବାଚସ୍ପତି କେ ରମେଶ କୁମାର ନିଜ ପଦବୀରୁ ଓହରିବା ଏକ ପ୍ରକାର ନିଶ୍ଚିତ ହୋଇଯିବ। ଏହାପରେ ଶାସକ ଦଳର ଜଣେ ବିଧାୟକଙ୍କୁ ବାଚସ୍ପତି କରାଇ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତିରୁ ରକ୍ଷା କରିବା ପାଇଁ ବିଜେପି ଚେଷ୍ଟା କରିବ ବୋଲି ଜଣାପଡ଼ିଛି।

ସୂଚନାଥାଉକି, ସମ୍ୱିଧାନର ୧୭୯(ସି) ଅନୁଯାୟୀ ବାଚସ୍ପତିଙ୍କୁ ପଦଚ୍ୟୁତ କରିବା ପାଇଁ ବିଧାନସଭାରେ ପ୍ରସ୍ତାବ ଆସି ପାରିବ। ଏଥିପାଇଁ ୧୪ ଦିନର ମହଲତ ଦେବାକୁ ହେବ। ସମ୍ୱିଧାନର ଧାରା ୧୮୧ ଅନୁଯାୟୀ ଏହି ପ୍ରସ୍ତାବ ପାରିତ ହେବା ପରେ ବାଚସ୍ପତି ଆଉ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ।

Comments are closed.