Odisha Link
Bridging the Missing Links in Odisha

ଆଜି ପବିତ୍ର ବିଜୟା ଦଶମୀ, ଜାଣନ୍ତୁ କଟକ ଦୁର୍ଗାପୂଜାର ଅଜଣା କଥା

ଭୁବନେଶ୍ବର: ଆଜି ହେଉଛି ପବିତ୍ର ବିଜୟା ଦଶମୀ। ଗାଁ ଠୁ ସହର ଦଶହରା ପାଳନ କରିବା ପାଇଁ ଉତ୍ସବମୁଖର ହୋଇଉଠିଛି। ରାଜ୍ୟରେ କଟକ ସହର ଦଶହରା ବେଶ୍‌ ପ୍ରସିଦ୍ଧ। ଓଡ଼ିଶାର ପୁରୁଣା ରାଜଧାନୀ କଟକ ଦଶହରା ଭାରତ ପ୍ରସିଦ୍ଧ। କଲିକତା ପରେ କଟକ ବୋଧହୁଏ ଦ୍ବିତୀୟ ସହର ଯେଉଁଠି ବହୁ ଆଡମ୍ବର ସହକାରେ ଦୂର୍ଗା ପୂଜା ପାଳିତ ହୋଇଥାଏ। ହେଲେ ଆପଣମାନେ କେବେ ଜାଣିଛନ୍ତି କି କଟକ ସହରରେ ଦୁର୍ଗାପୂଜା କେବେ ଆରମ୍ଭ ହୋଇଥିଲା।

ଇତିହାସ କହୁଛି, ୧୮୩୨ ମସିହାରେ ପ୍ରଥମେ କଟକରେ ସାର୍ବଜନୀନ ଦୂର୍ଗା ପୂଜା ପାଳନ କରାଯାଇଥିଲା।ଏହି ପୂଜା ଅନୁଷ୍ଠିତ ହୋଇଥିଲା କାଜି ବଜ଼ାର ଅଞ୍ଚଳରେ। ଉଭୟ ବଙ୍ଗାଳୀ ଓ ଓଡ଼ିଆମାନେ ଏକାଠି ହୋଇ ଏହି ପ୍ରଥା ଆରମ୍ଭ କରିଥିଲେ। ଏ ସମସ୍ତେ ଥିଲେ ଇଷ୍ଟ ଇଣ୍ଡିଆ କମ୍ପାନିର କର୍ମଚାରୀ। ପ୍ରଥମ ଥର ପାଇଁ ଦଶହରା ପର୍ବ ପାଳିତ ହେଉଥିବା କାରଣରୁ ସମସ୍ତଙ୍କ ମନରେ ଆନନ୍ଦ ପରିଲକ୍ଷିତ ହୋଇଥିଲା। ତେବେ ଉଭୟ ସମ୍ପ୍ରଦାୟ ମଧ୍ୟରେ ବିବାଦ ଓ ମତପାର୍ଥକ୍ୟ ଯୋଗୁଁ ଓଡ଼ିଆମାନେ ନିଜ ଉଦ୍ୟମରେ ପୂଜା କରିବା ପାଇଁ ନିଷ୍ପତ୍ତି ନେଲେ।

ଆଉ ଏକ ମତ ଅନୁସାରେ ମହାପ୍ରଭୁ ଚୈତନ୍ୟ କଟକରେ ୧୫୫୦ ମସିହାରେ ଦୂର୍ଗା ପୂଜା ଆରମ୍ଭ କରିଥିଲେ, ଯେତେବେଳେ ସେ ନବଦ୍ବୀପରୁ ପୁରୀ ଆସିଥିଲେ। ତେବେ ଐତିହାସିକ ତଥ୍ୟ ଅନୁଯାୟୀ ବ୍ରିଟିଶ ଶାସନ କାଳରେ ହିଁ କଟକ ସହରରେ ସାର୍ବଜନୀନ ପୂଜା ଆରମ୍ଭ ହୋଇଥିଲା।

କଟକ ଦଶହରାର ଆଉ ଏକ ସ୍ୱତନ୍ତ୍ର ପରିଚୟ ହେଉଛି ଏଠାକାର ସୁନା ଓ ରୂପାରେ ସଜ୍ଜିତ ଦୂର୍ଗା ମୂର୍ତ୍ତି। ଯେଉଁ ପେଣ୍ଡାଲରେ ମା’ ପୂଜା ପାଉଛନ୍ତି ତାହା ସ୍ଥାୟୀ ମଣ୍ଡପ ଏବଂ କେବଳ ଦଶହରା ପର୍ବ ଉପଲକ୍ଷେ ହିଁ ଏଗୁଡିକ ଚଳଚଞ୍ଚଳ ହୋଇ ଉଠିଥାନ୍ତି।

Comments are closed.