Odisha Link
Bridging the Missing Links in Odisha

କାହା ଘର ଖାଁ ଖାଁ, କାହା ଘରେ ହାଉଯାଉ କୁଣିଅ‍ା

ଶୁଭ୍ରାଂଶୁ ପଣ୍ଡା:

୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଅ‍ାସୁଛି, ଓଡ଼ିଶା ରାଜନୀତି ସେତିକି ଚଳଚଂଚଳ ହେଉଛି। ଭୋଟରଙ୍କ ହାତେଇବା ପାଇଁ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ କିଛି ନେତା ସୁବିଧା ଉଣ୍ଡି ଦଳ ଡେଇଁବାରେ ମାତିଛନ୍ତି।

ଏସବୁ ଭିତରେ ଯେଉଁ କଥାଟି ଏ ଯାଏଁ ସ୍ପଷ୍ଟ ହାେଇନାହିଁ, ତାହା ହେଲା ଟିକଟ ପାଇବ କିଏ। ବିଜେପିରେ ଅଳ୍ପ କେତାେଟି ଅ‍ାସନକୁ ଛାଡ଼ିଦେଲେ, ଅଧିକାଂଶ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ନେତା ଚୂଡ଼ାନ୍ତ ପ୍ରାୟ। କଂଗ୍ରେସରେ ଅନେକ ସ୍ଥାନରେ ନେତା ମରୁଡ଼ି। ତା ଉପରେ ପୁଣି କିଛି ନେତା ଦଳ ଡେଇଁଲେଣି। ତେବେ ଟିକେଟ ବଣ୍ଟାକୁ ନେଇ କଂଗ୍ରେସ ସେତେଟା ଅସୁବିଧାର ସମ୍ମୁଖୀନ ହେବନାହିଁ।

ଅନ୍ୟଦଳରୁ ଓ ସାମଜର ବିଭିନ୍ନ ବର୍ଗରୁ ବହୁ ପ୍ରଭାବଶାଳୀ ନେତା, ପ୍ରଶାସକ, ବୁଦ୍ଧିଜୀବୀ ଓ ଶିକ୍ଷାବିତ ଏବେ ବିଜେଡି ଶରଣ ପଶିଥିବା ବେଳେ ଏତେ ସଂଖ୍ୟକ ନେତାଙ୍କୁ କିଭଳି ଥଇଥାନ କରାଯିବ ତାହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦଳ ଏଥର ବହୁ ଘରପୁଅଙ୍କ ବସାଘରେ ବସାଇ କୁଣିଅ‍ାଙ୍କୁ ନିର୍ବଚନୀ ଦାଣ୍ଡକୁ ଛାଡ଼ିବାକୁ ଯୋଜନା କରିଛି। ତେବେ ଏତେ ସଂଖ୍ୟାରେ ନେତା ଏବେ ବିଜେଡିରେ ଟିକେଟ ଅ‍ାଶାୟୀ ଭାବେ ଉଭା ହାେଇଛନ୍ତି ଯେ, ଯେତେ ଯାହା କଲେ ବି ସମସ୍ତଙ୍କୁ ଟିକେଟ ଦେବା ସମ୍ଭବ ହେବନାହିଁ। ବିଧାନ ପରିଷଦ ଗଠନ ଏବେ ସମ୍ଭବ ହେଉନଥିବାରୁ ସେଠାରେ ଯେଉଁ ନେତାଙ୍କୁ ଥଇଥାନ କରାଯିବାର ଅ‍ାଶା ଥିଲା ତାହା ମଉଳି ଯାଇଛି। ଅନେକ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ଏକାଧିକ ଅ‍ାଶାୟୀ ପ୍ରାର୍ଥୀ ଥିବାରୁ ଟିକଟ ବଣ୍ଟନ ପରେ ବିଦ୍ରୋହକୁ ଏଡ଼ାଇ ହେବନାହିଁ।

କଂଗ୍ରେସ୍ ଘର ଖାଁ ଖାଁ ହାେଇଯାଉଥିବାରୁ ଏଭଳି କିଛି ବିଦ୍ରୋହୀ ବିଜେଡି ନେତାଙ୍କୁ ନିର୍ବାଚନ ପୂର୍ବରୁ ଦଳରେ ସାମିଲ କରି ଟିକେଟ ଦେବାକୁ ଅ‍ାପାତତଃ ନିଷ୍ପତ୍ତି ହାେଇଥିବା ସୂଚନା ମିଳିଛି। ଅନ୍ୟପଟେ ବୈଜୟନ୍ତ ପଣ୍ଡାଙ୍କ ସହ କିଛି ବିଜେଡି ନେତା ଯୋଗାଯୋଗରେ ଅଛନ୍ତି ଓ ବିଜେଡିରେ ସୁଯୋଗ ହରାଇଲେ ଦ୍ବିତୀୟ ବିକଳ୍ପ ଭାବେ ସେମାନେ ଓଡ଼ିଶା ଜନତା ଦଳକୁ ବାଛିବେ ବୋଲି ଅ‍ାଶା କରାଯାଉଛି।

କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ସଗରିଅ‍ା କୋରାପୁଟ ବିଧାୟକ ପଦରୁ ଦୁଇ ମାସ ତଳେ ଇସ୍ତଫା ଦେଇଥିବା ବେଳେ, ସେ ପରେ ଦଳ ଛାଡ଼ିବାର ମଧ୍ୟ ସମ୍ଭାବନା ରହିଛି। ଗତକାଲି ବିଧାୟକ ନବ ଦାସ ମଧ୍ୟ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କୁ କଂଗ୍ରେସ ଅ‍ାଜି ଦଳବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ନିଲମ୍ବନ କରିଥିବା ବେଳେ ସେ ଖୁବ୍ ଶୀଘ୍ର ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସରୁ ଅ‍ାରମ୍ଭ ହାେଇଥିବା ଏ ଦଳଡିଅ‍ାଁ କାର୍ଯ୍ୟକ୍ରମ ନିର୍ବାଚନ ବେଳକୁ ବିଜେଡିକୁ ଡେଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ବିଜେଡିରେ ଅନେକ ନିରାଶ ଟିକଟ ଅ‍ାଶୟୀମାନେ କଂଗ୍ରେସ ଓ ଅନ୍ୟଦଳକୁ ଯିବେ, ଏହା ନିସନ୍ଦେହ।