Odisha Link
Bridging the Missing Links in Odisha

ଚର୍ଚ୍ଚାରେ ପାଟକୁରା ନିର୍ବାଚନ: ଅସନ୍ତୁଷ୍ଟ କର୍ମୀଙ୍କୁ ମନେଇବାରେ ବ୍ୟସ୍ତ ନେତା

ପାଟକୁରା : ସାଧାରଣ ନିର୍ବାଚନ ସରି ଯାଇଥିଲେ ସୁଦ୍ଧା ରାଜ୍ୟ ରାଜନୀତିର ଉଷ୍ମତା ଠିକ୍‌ ପୂର୍ବଭଳି ରହିଛି। କାରଣ ଆଗକୁ ଥିବା ପାଟକୁରା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଲେଣି ରାଜନୈତିକ ଦଳ। ରାଜ୍ୟରେ ବିଜେଡ଼ି ଶାସନରେ ଥିବା ହେତୁ ପାଟକୁରାରେ ବିଜୟ କରି ଦଳକୁ ଆହୁରି ସୁଦୃଢ କରିବାକୁ ଲଧ୍ୟ ରଖିଥିବା ବେଳେ। ସେପଟେ ରାଜ୍ୟ ବିଜେପି ପାଟକୁରାରେ ବିଜୟୀ ହୋଇ ଶାସକଦଳକୁ ଚ୍ୟାଲେଞ୍ଜ ଦେବା ନେଇ ପ୍ରସ୍ତୁତି ଜୋରଶୋର କରୁଛି। ଏହା ମଧ୍ୟରେ ଖୁବ ଶୀଘ୍ର ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । ଗତ ସାଂସଦ ନିର୍ବାଚନରେ ଏହି ବ୍ଲକରେ ବିଜେଡି ପ୍ରାର୍ଥୀଙ୍କ ଭୋଟ କମିଥିବାରୁ ଗରଦପୁର ବ୍ଲକରୁ ଦଳୀୟ ନେତା, ମନ୍ତ୍ରୀମାନେ ଅଧିକ ଫୋକସ ଦେଇ ୨ ଦିନ ହେବ କର୍ମୀ ସମ୍ମିଳନୀ ଜାରି ରଖିଛନ୍ତି । ଗତକାଲି କୋରୁଆ କଲେଜ ନିକଟସ୍ଥ କର୍ତ୍ତାକୁଦ ମଠରେ ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକ ଦାୟିତ୍ୱରେ ଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୌରହିତ୍ୟରେ କର୍ମୀ ସମ୍ମିଳନୀ ହୋଇଯାଇଥିବା ବେଳେ ଆଜି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଘର କୋରୁଆ ନିକଟସ୍ଥ ଅରିଲେଠାରେ ମଧ୍ୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

BJD CANDIDATE

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ସମୟରେ ବିଧାୟକ ଶ୍ରୀ ନାୟକଙ୍କୁ ସମର୍ଥନ କରି ଆସୁଥିବା କର୍ମୀମାନଙ୍କୁ ବିଧାୟକ ସ୍ୱର୍ଗତ ଅଗ୍ରୱାଲ ଓ ତାଙ୍କ ସମର୍ଥକମାନେ ପ୍ରତ୍ୟେକ କ୍ଷେତ୍ରରେ ବିରୋଧ କରୁଥିବାରୁ ବ୍ଲକରେ ଏକ ସମାନ୍ତରାଳ ବିଜେଡି ଗୋଷ୍ଠୀ ସୃଷ୍ଟି ହୋଇଥିଲା । ବର୍ତ୍ତମାନର ନିର୍ବାଚନ ପରିପ୍ରେକ୍ଷୀରେ ସେହି ଅସନ୍ତୁଷ୍ଟ କର୍ମୀମାନଙ୍କୁ ବିଧାୟକ ଶ୍ରୀ ନାୟକ କୌଣସି ମତେ ମନେଇବା ପାଇଁ ଆଜିଠାରୁ ଲାଗି ପଡ଼ିଛନ୍ତି । କିଭଳି ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କୁ ଗରଦପୁର ବ୍ଲକ ତଥା ପାଟକୁରା ନିର୍ବାଚନ ମଣ୍ଡଳୀରେ ଅଧିକ ଭୋଟ ମିଳିବ ସେଥିପାଇଁ ଶ୍ରୀ ନାୟକ ଉଦ୍ୟମ ଜାରି ରଖିଛନ୍ତି । ଆଜି ବିଧାୟକ ଶ୍ରୀ ନାୟକଙ୍କ ଡାକରାରେ ୧୮ଟି ପଞ୍ଚାୟତର ଶତାଧିକ ଅସନ୍ତୁଷ୍ଟ ବିଜେଡି କର୍ମୀ ପହଞ୍ଚି ତାଙ୍କ ସହିତ ଆଲୋଚନା କରିବା ସହିତ ସହଯୋଗର ହାତ ବଢ଼ାଇଥିଲେ । ଆଲୋଚନାର ଅନ୍ତିମ ପର୍ଯ୍ୟାୟରେ ନିର୍ବାଚନର ଦଳୀୟ ଦାୟିତ୍ୱରେ ଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ପହଞ୍ଚି କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ । ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥିନୀ କିପରି ବ୍ଲକର ପ୍ରତ୍ୟେକ ୱାର୍ଡରୁ ଭୋଟ ପାଇବେ ସେଥିପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ନିର୍ବାଚନ ସମୟରେ କେହି ଏଠାରେ ନେତା ନୁହନ୍ତି ସମସ୍ତେ କର୍ମୀ । ଯାହାର ଯାହା ଅଭିଯୋଗ କରିବାର ଅଛି ବାହାରେ ପ୍ରକାଶ ନ କରି ନିର୍ବାଚନ କମିଟି ଆଗରେ ପ୍ରକାଶ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । ଏଣୁ ରାଜ୍ୟ ବିକାଶର ମୁଖ୍ୟ ସ୍ରୋତରେ ପାଟକୁରା ନିର୍ବାଚନ ମଣ୍ଡଳୀକୁ ସାମିଲ କରାଇ ବିକାଶର ଧାରାକୁ ଆଗକୁ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହ୍ୱାନ ଦେଇଥିଲେ । ନିର୍ବାଚନ ପରିଚାଳନା କମିଟିରେ ସେଠାରେ ଉପସ୍ଥିତ ଥିବା ସ୍ୱର୍ଗତ ବିଧାୟକ ଅଗ୍ରୱାଲଙ୍କ ପ୍ରତିନିଧି ତଥା ବ୍ଲକର ସମିତି ସଭ୍ୟ ରାଜେଶ ଦାସଙ୍କ ନାମ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଠାଇବାରୁ ଉପସ୍ଥିତ କର୍ମୀମାନଙ୍କ ମଧ୍ୟରୁ କେତେକ ଏହାକୁ ଖୋଲାଖୋଲି ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ମାତ୍ର ଏହି କର୍ମୀ ସମ୍ମିଳନୀରେ ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ଅନୁପସ୍ଥିତ ଥିଲେ । ତାଙ୍କର ପୁଅ ସଞ୍ଜୟ ଅଗ୍ରୱାଲ, ଯୁବନେତା ଦିପ୍ତୀକାନ୍ତ ପରିଜା, ରାକେଶ ମହାପାତ୍ର, ରବୀନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.