Odisha Link
Bridging the Missing Links in Odisha

ବିଏମସିର ନୂତନ ବିଲ୍‌ଡ଼ିଂ କାର୍ଯ୍ୟ ଆରମ୍ଭ, କଣ ରହିଛି ବିଲ୍‌ଡ଼ିଂରେ ସୁବିଧା ଜାଣନ୍ତୁ

ଭୁବନେଶ୍ବର : ବିଏମ୍‌ସି ମୁଖ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରେ ନୁହଁ ତିନି ତିନି ଥର ଶିଳାନ୍ୟାସ କରିଛନ୍ତି। ପରିଶେଷରେ ଏହି ବିଲ୍‌ଡିଂ କାମ ଆରମ୍ଭ ହୋଇଛି। ଜନପଥରେ ସତ୍ୟନଗର ମଶାଣି ସମ୍ମୁଖରେ ଏହି ୧୧ମହଲା ବିଶିଷ୍ଟ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ୨ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନା ଅନୁଯା‌ୟୀ, ୪.୦୪ଏକର ଜମି‌େର ନିର୍ମାଣ ହେଉଥିବା ବିଏମ୍‌ସି-ଆଇସିଓଏମ୍‌ସିର କାର୍ଯ୍ୟାଳୟ କୋଠା ନିର୍ମାଣ ପାଇଁ ୭୩କୋଟି ଟଙ୍କା ଖର୍ଚ୍ଚ ହେବ। ଜି+୧୧ମହଲା ବିଶିଷ୍ଟ ଏହି କୋଠା ୨ଲକ୍ଷ ୧୯ହଜାର ୨୪୦ବର୍ଗଫୁଟ ଅଞ୍ଚଳର ହେବ। ଏଠାରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ରହିବ। ତଳ ଓ ଉପର ଗ୍ରାଉଣ୍ଡ ଫ୍ଲୋର୍‌ରେ ବିଏମ୍‌ସି କାର୍ଯ୍ୟାଳୟ ରହିବାକୁ ଥିବାବେଳେ ଇ‌ଣ୍ଟେଲିଜେଣ୍ଟ ସିଟି ଅପରେସନ୍ ଆଣ୍ଡ ‌ମ୍ୟାନେଜମେଣ୍ଟ ସେଣ୍ଟର (ଆଇସିଓଏମ୍‌ସି) କାର୍ଯ୍ୟାଳୟ ପ୍ରଥମ, ଦ୍ବିତୀୟ ଓ ତୃତୀୟ ମହଲାରେ ରହିବ। ଏହାସହ କାର୍ପେଟ୍, ଲ୍ୟାଣ୍ଡସ୍କେପ୍ ଏରିଆ ଓ ଟେରାସ ରହିବ।ବିଏମ୍‌ସି କମିସନରଙ୍କ କାର୍ଯ୍ୟାଳୟ ୪ର୍ଥ ମହଲାରେ ରହିବ। ଉପର ମହଲାଗୁଡ଼ିକରେ କେବଳ ବିଏମ୍‌ସି କାର୍ଯ୍ୟାଳୟ ରହିବ ବୋଲି ସୂଚନା ମିଳିଛି।

CURRENT BMC OFFICE BBSR

ଏହି କୋଠାକୁ ଆକର୍ଷଣୀୟ କରିବା ପାଇଁ ବହୁତ ଯୋଜନା ମଧ୍ୟ ହୋଇଛି। ବିଲ୍ଡିଂର ଚତୁର୍ପାର୍ଶ୍ବର ସୌନ୍ଦର୍ଯ୍ୟକରଣ କରାଯିବ। ଏଠାରେ ହେବାକୁ ଥିବା ଲ୍ୟାଣ୍ଡସ୍କେପ୍‌ରେ ଓଡ଼ିଶାର ବିଭିନ୍ନ ମନ୍ଦିରର ଛାପ ସ୍ଥାନ ପାଇବ। ପ୍ରବେଶ ତୋରଣରେ ମଧ୍ୟ ମନ୍ଦିର ଭାସ୍କର୍ଯ୍ୟ ଏବଂ ପାରମ୍ପାରିକ ସାଅଣା ପଥରର ଛାପ ଦେବାକୁ ଯୋଜନା କରାଯାଇଛି। ପ୍ରବେଶ ତୋରଣର ଉଚ୍ଚତା ମାଟିଠାରୁ ୪.୫ମିଟର ଉଚ୍ଚତା ବିଶିଷ୍ଟ ହେବ। କଳ୍ପନାସ୍ଥିତ ବିଏମ୍‌ସି କାର୍ଯ୍ୟାଳୟ ସମ୍ପ୍ରସାରଣ ହୋଇପାରୁ ନଥିବାରୁ ଏହି ବିଲ୍‌ଡିଂକୁ ବିଏମ୍‌ସି ମୁଖ୍ୟାଳୟ ସ୍ଥାନାନ୍ତର ହେବ। ଏଠାରେ ବିଏମ୍‌ସିର ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେବ। ଏହିଠାରୁ ପୂରା ଭୁବନେଶ୍ବର ଉପରେ ନଜର ରହିବ। ଗୋଟିଏ ମହଲାରେ ବଡ଼ ବଡ଼ ଏଲ୍ଇଡି ପରଦା ଲାଗିବ। ଏଠାରେ ଭୁବନେଶ୍ବରର ଲାଇଭ୍ ଚିତ୍ର ଦେଖିବାକୁ ମିଳିବ। ଏଠାରୁ ନିୟନ୍ତ୍ରଣ ହେବ ପୂରା ରାଜଧାନୀ। ସୂଚନାଯୋଗ୍ୟ ଯେ, ଏହି ବିଲ୍‌ଡିଂ ନିର୍ମାଣ ହେବା ପାଇଁ ମୁଖ୍ୟମନ୍ତ୍ରୀ ଏଠାରେ ଦୁଇ ଥର ଶିଳାନ୍ୟାସ କରିଥିଲେ। ଏହାବାଦ୍ ଥରେ ସିଙ୍ଗିଲ ଟେଣ୍ଡର ହେବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନଥିଲା। ଏହାପରେ ଏଠାରେ ଥିବା ୧୨ଟି ସରକାରୀ କ୍ବାର୍ଟର୍ସ ଉଚ୍ଛେଦ କରିବାରେ ମଧ୍ୟ ବିଳମ୍ବ ହୋଇଥିଲା।

Comments are closed.