Odisha Link
Bridging the Missing Links in Odisha

ପଦ୍ମ ଶଙ୍ଖ ଭାଇ ଭାଇ, ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡ଼ି କରିବ ସମର୍ଥନ

ଭୁବନେଶ୍ୱର: କଥାରେ ଅଛି ଲୁଚିଛି ନାଁ ଗୋଡ଼ ଦିଟା ଦିଶୁଛି। ଠିକ୍‌ ସେହିପରି ବିଜେଡ଼ି ଆଉ ବିଜେପିର ଭାଇ ଭାଇ ପ୍ରେମ ଯେତେ ଲୁଚେଇଲେ ବି ଲୁଚୁନି। ଆଜି ଖୋଦ ବିଜେଡ଼ି ସୁପ୍ରିମୋ ପଦ୍ମ-ଶଙ୍ଖ ଭିତରେ ଥିବା ଭାଇ ଭାଇର ଭିତିରି ପ୍ରେମକୁ ପଦାରେ ପକାଇଛନ୍ତି। ରାଜ୍ୟରେ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ନବୀନ ଘୋଷଣା କରିଥିବା ୩ଟି ନାମ ମଧ୍ୟରୁ ୨ଟି ଆସନ ଶାସକ ବିଜୁ ଜନତା ଦଳ ପକ୍ଷରୁ ବିଜେଡ଼ି ଆଇଟି ସେଲ୍‌ର ମୁଖ୍ୟ ଅମର ପଟ୍ଟନାୟକ ଏବଂ ମୁଖପାତ୍ର ସସ୍ମିତ ପାତ୍ରଙ୍କ ନାମ ଦଳର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏହାଛଡ଼ା ତୃତୀୟ ଆସନ ପାଇଁ ପୂର୍ବତନ ଆଇଏଏସ୍‌ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରିଥିଲେ ନବୀନ। ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ବିଜେଡି ପକ୍ଷରୁ ସମର୍ଥନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିସହ ସେ କହିଛନ୍ତି ଯେ ଶ୍ରୀ ବୈଷ୍ଣବ ବିଜେପିର ପ୍ରାର୍ଥୀ ହେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରସ୍ତାବ ଦେଇଥିଲେ। ତାହାକୁ ସେ ସମର୍ଥନ କରିଛନ୍ତି ବୋଲି ନବୀନ କହିଛନ୍ତି।

କିଏ ଅଶ୍ୱିନୀ ବୈଷ୍ଣବ ?
ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ରାଜସ୍ଥାନର ମୂଳବାସୀନ୍ଦା। ସେ ୧୯୯୪ ବ୍ୟାଚ ଓଡ଼ିଶା କ୍ୟାଡ଼ର ଆଇଏସ୍। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟାଳୟରେ ଉପସଚିବ ଭାବେ କାର୍ଯ୍ୟ କରୁଥିଲେ। ଏଥିସହିତ ଅଶ୍ବନୀ ବାଲେଶ୍ବର ଓ କଟକର ଜିଲ୍ଲାପାଳ ଥିଲେ।
ଅଣଓଡ଼ିଆଙ୍କ ରାଜୁତି: ଜେବି ପଟ୍ଟନାୟକଙ୍କ ଠୁ ଆରମ୍ଭ କରି ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଅଣଓଡ଼ିଆଙ୍କ ଦବଦବା ଦେଖିବାକୁ ମିଳିଛି। ତେବେ ଅଶ୍ୱିନୀ ବୈଷ୍ଣବଙ୍କ ପରି ଓଡ଼ିଶାରୁ ୪ଜଣ ଅଣଓଡ଼ିଆ ରାଜ୍ୟସଭା ଯାଇଛନ୍ତି। ସେମାନେ ହେଲେ କେରଳ ନେତା କେଆର୍‌ ପାନିକର୍‌, କର୍ଣ୍ଣାଟକ ନେତା ଏସ୍.ଆର୍‌ ବୋମାଲ, ପଞ୍ଜାବର ଛତ୍ରପାଲ ସିଂହ ଏବଂ ବଲବୀର ପୁଞ୍ଜ।

Comments are closed.