Odisha Link
Bridging the Missing Links in Odisha

ଜଳମଗ୍ନ ସ୍ମାର୍ଟ ସିଟି ଭୁବନେଶ୍ବର

ଭୁବନେଶ୍ବର: ରାଜରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଏମିତିକି ଓଭର୍‌ ବ୍ରିଜ୍‌ ଉପରେ ପାଣି ଲହଡ଼ି ଭାଙ୍ଗୁଛି। ଗତକାଲି ସନ୍ଧ୍ୟାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ସ୍ମାର୍ଟ ସିଟି ଭୁବନେଶ୍ବରରେ। ଲଘୁଚାପ ପ୍ରଭାବରେ ଗତକାଲି ସନ୍ଧ୍ୟାରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଯାହାଫଳରେ ରାଜଧାନୀର ପ୍ରମୁଖ ଅଞ୍ଚଳକ ଗୁଡ଼ିକରେ ଜଳ ନିଷ୍କାସନ ହୋଇ ପାରିନଥିଲା। ଯେଉଁଥିପାଇଁ ରାଜଧାନୀବାସି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କିଛି ସାଧାରଣଲୋକ ସୋଶିଆଲ ମିଡ଼ିଆରେ ଭିଡ଼ିଓ ସେୟାର କରି ନିଜର ଅସୁବିଧା ଜାହିର କରିଛନ୍ତି ।

ରାଜପଥ ଉପରେ ଆଉ ପାଣି ଜମିବ ନାହିଁ ବୋଲି ବିଏମସି ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବହୁତ କାମ କରିଛନ୍ତି ବୋଲି ଡିଣ୍ଡିମ ପିଟୁଥିଲେ। କିନ୍ତୁ ଗତକାଲିର ବର୍ଷା ଦର୍ଶାଇ ଦେଲା ଯେ କେତେ କାମ କରିଛନ୍ତି। ଏଭଳି କାମ ହୋଇଛି ଯେ, ପୂର୍ବ ଆଉ ବର୍ତ୍ତମାନ ମଧ୍ୟରେ ଫରକ କିଛି ନାହିଁ। ଇସ୍କନ୍ ସମ୍ମୁଖରେ ଆଜି ବି ଅଣ୍ଟେ ଉଚ୍ଚରେ ପାଣି ଜମିଥିଲା। ପ୍ରା‌ୟ ଅଧ ଘଣ୍ଟା ପାଇଁ ଗାଡ଼ି ଚଳାଚଳ ବନ୍ଦ ହୋଇଗଲା। କିଛି ଗାଡ଼ି ଭିତରେ ପାଣି ପଶିଯିବାରୁ ଲୋକମାନେ ରାସ୍ତା ଉପରେ ଗାଡ଼ି ଛାଡ଼ି ପଳାଇଥିବା ଦେଖିବାକୁ ମିଳିଥିଲା।
ବମିଖାଲ ଓଭରବ୍ରିଜ୍‌ ଉପରେ ଜମିଲା ପାଣି, ଦେଖନ୍ତୁ ଭିଡ଼ିଓ

ବହୁ ଚର୍ଚ୍ଚିକ ବମିଖାଲ ଓଭରବ୍ରିଜ୍‌ ୪୫କୋଟି ବ୍ୟୟରେ ନିର୍ମାଣ ହୋଇଛି। କିଛି ନା କିଛି କାରଣକୁ ନେଇ ସଦାବେଳେ ଏହି ଓଭରବ୍ରିଜ୍‌ ଚର୍ଚ୍ଚାରେ । ଏହି ଓଭରବ୍ରିଜ୍‌ର ଡିଜାଇନ୍ ପାଇଁ କଟକରୋଡ୍‌ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ଏବେ ଏହା ଉପରେ ପାଣି ଜମୁଥିବା ଦେଖିବାକୁ ମିଳିଛି। ଆଜିର ବର୍ଷା ପରେ ବ୍ରିଜ୍‌ ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିବାରୁ ଏହାର ଲେଭେଲିଂ ନେଇ ପ୍ରଶ୍ନ ଉଠିଛି। ଏପରିକି ଏହି ବ୍ରିଜ୍‌ ଉପରେ ଏମିତି ଯଦି ପାଣି ଜମି ରହେ ତେବେ ଅଳ୍ପ କିଛି ବର୍ଷରେ ବ୍ରିଜ୍ ଭୁଶୁଡ଼ିବା ଥୟ ବୋଲି ବିଶେଷଜ୍ଞ କହିଲେଣି।

ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଏମିତି ସମସ୍ୟା ଦେଖାଦେଇଛି। ବର୍ଷା ହେଲେ ରାଜଧାନୀର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇପଡୁଛି। ପ୍ରତିକାର ସ୍ୱରୂପ ବିଏମ୍‌ସି ପକ୍ଷରୁ ବ୍ୟବସ୍ଥା କରାଯାଉଛି। ହେଲେ କିଛି ବି ସୁଫଳ ମିଳୁନି। ବର୍ଷା ହେଲେ ରାଜଧାନୀରେ ଜଳ ନିଷ୍କାସନ ସମସ୍ୟା ଏକ ଧରାବନ୍ଧା ନିୟମ ପାଲଟି ଗଲାଣି।

Comments are closed.