Odisha Link
Bridging the Missing Links in Odisha

ରାଜ୍ୟରେ ଚାଷୀଙ୍କ ବିକାଶ ହେଉଛି: କୃଷିମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଚାଷୀଙ୍କ ବିକାଶ ହେଉଛି। ଏହି ଧାରାକୁ ଆଗକୁ ନେବା ପାଇଁ ଯୋଜନା ଚାଲିଛି ବୋଲି ବିଧାନସଭାରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ବିଧାନସଭାରେ କୃଷି ଓ କୃଷକଙ୍କ ସମସ୍ୟା ଉପରେ ମୁଲତବୀ ଆଲୋଚନା ବେଳେ ମନ୍ତ୍ରୀ ଅରୁଣ ସାହୁ ଏହା କହିଛନ୍ତି। ସୂଚନାଥାଉକି, ମୁଲତବୀ ଆଲୋଚନାବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବର୍ଷିଥିଲେ। ଜଳସେଚନରେ ସରକାର ରାଜ୍ୟରେ ବିଫଳ ହୋଇଥିବା ସେ ଅଭିଯୋଗ କରିଥିଲେ। ଏତଦବ୍ୟତୀତ ଧାନର ଏମଏସପି ମିଳୁନଥିବା ସେ ଅଭିଯୋଗ କରିଥିଲେ। ପ୍ରକୃତ କାଳିଆ ହିତାଧିକାରୀ ଓ ଧାନର ଅଭାବୀ ବିକ୍ରି ନେଇ ମଧ୍ୟ ଶ୍ରୀ ମିଶ୍ର ପ୍ରଶ୍ନ ଉଠାଇଥିଲେ। ସେହିପରି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ମୁଲତବୀ ଆଲୋଚନାବେଳେ ମଣ୍ଡି ସମସ୍ୟା ଉଠାଇଥିଲେ। ଚାଷୀ ଆତ୍ମହତ୍ୟା, କୀଟନାଶକ ଓ ସାରର କଳାବଜାରୀ ନେଇ ମଧ୍ୟ ପ୍ରଶ୍ନ କରିଥିଲେ।

ଅପରପକ୍ଷେ ମୁଲତବୀ ପ୍ରସ୍ତାବର ଉତ୍ତର ରଖି କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ରାଜ୍ୟ ସରକାର ଚାଷୀଙ୍କ ପାଇଁ ଉଦାସୀନ ନୁହନ୍ତି। କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କାଳିଆ ଯୋଜନା କରିଛନ୍ତି। ଚାଷୀଙ୍କ ବିକାଶ ହେଉଛି। ଆଗକୁ ଏହି ଧାରା ଆଗେଇ ଚାଲିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ। ତେବେ ମନ୍ତ୍ରୀ ଶ୍ରୀ ସାହୁଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ।

Comments are closed.