Odisha Link
Bridging the Missing Links in Odisha

ସ୍ୱପ୍ନ ଦେଖାଇଲେ ସରକାର: ୭୦ ଲକ୍ଷ କୋଟି ହେବ ଓଡ଼ିଶା ଅର୍ଥନୀତି

ଭୁବନେଶ୍ୱର : ଜେଏସଡବ୍ଲ୍ୟୁ ଓ ପିଡବ୍ଲ୍ୟୁସି ଇଣ୍ଡିଆ ପକ୍ଷରୁ ଏକ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ୨୦୫୦ ସୁଦ୍ଧା ଓଡ଼ିଶା ୧ ଟ୍ରିଲିୟନ(ପ୍ରାୟ ୭୦ ଲକ୍ଷ କୋଟି ଟଙ୍କା) ଡଲାର ଅର୍ଥନୀତି ହେବ। ଭିଜନ୍‌ ଡକ୍ୟୁମେଣ୍ଟରେ ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ଏମିତି ସ୍ବପ୍ନ ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସଚିବାଳୟଠାରେ ଭିଜନ୍‌ ରିପୋର୍ଟ ‘ଇକୋନୋମିକ ପସିବିଲିଟି ଫର ଓଡ଼ିଶା ଟୁଓ୍ବାର୍ଡସ ଓ୍ବାନ ଟ୍ରିଲିୟନ ଡଲାର ଇକୋନୋମି-୨୦୫୦’ର ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରଚୁର ପ୍ରାକୃତିକ ସମ୍ପଦ ରହିଛି। ଏହାକୁ ଆଧାର କରି ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବ। ରାଜ୍ୟ ୧ ଟ୍ରିଲିୟନ ଡଲାର (ପ୍ରାୟ ୭୦ ଲକ୍ଷ କୋଟି ଟଙ୍କା) ଅର୍ଥନୀତି ମଧ୍ୟ ହୋଇପାରିବ। ଅନୁକୂଳ ପୁଞ୍ଜିନିବେଶ ନୀତି, ଉନ୍ନତ ଭିତ୍ତିଭୂମି ଏବଂ ଦକ୍ଷ ମାନବସମ୍ବଳ ଯୋଗୁ ଓଡ଼ିଶା ଏହି ଲକ୍ଷ୍ୟ ହାସଲ କରିପାରିବ। ମାନୁଫାକ୍ଚରିଂ ହବ୍‌ ଭାବେ ଓଡ଼ିଶା ଜାତୀୟ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛି। ବିଶ୍ୱ ଅର୍ଥନୀତି ଗତ ୩ ଦଶନ୍ଧି ମଧ୍ୟରେ ୩ ଥର ବୃଦ୍ଧି ହୋଇଛି।
ଆସନ୍ତା ୨୦୫୦ ବେଳକୁ ଏହା ଦୁଇଗୁଣ ହେବାର ସମ୍ଭାବନା ରହିଛି। ରାଜ୍ୟର ଖଣିଜ ସମ୍ପଦ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମହିଳା ଉଦ୍ୟୋଗୀ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି। ଜେଏସ୍‌ଡବ୍ଲ୍ୟର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ କହିଛନ୍ତି ଓଡ଼ିଶା ହେଉଛି ଭାରତର ଲୁକ୍କାୟିତ ରତ୍ନ। ଓଡ଼ିଶା ପାଖରେ ଯାହା କିଛି ଖଣିଜ ସମ୍ପଦ ରହିଛି ତାହାକୁ ଠିକ୍‌ ଭାବେ ପରିଚାଳନା କରାଗଲେ ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ ହୋଇପାରିବ ବୋଲି ସେ କହିଛନ୍ତି।
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଅସାଧାରଣ ପ୍ରତିଯୋଗିତା ଦକ୍ଷତା ରହିଛି। ବିଶ୍ୱରେ ଏହି ରାଜ୍ୟ ଖଣିଜ ସମ୍ପଦ ରପ୍ତାନିରେ ଏକ ନମ୍ବର ହବ୍‌ରେ ପରିଣତ ହେବ ବୋଲି ଭିଜନ୍‌ ରିପୋର୍ଟରେ କୁହାଯାଇଛି। ଏହି ଅବସରରେ ପିଡବ୍ଲ୍ୟୁସିର ଅଂଶୀଦାର ରାନିନ ବାନାର୍ଜୀ ଭିଜନ୍‌ ରିପୋର୍ଟର ପ୍ରମୁଖ ବିଷୟ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର, ଜେଏସ୍‌ଡବ୍ଲ୍ୟୁ, ପିଡବ୍ଲ୍ୟୁସି ଇଣ୍ଡିଆର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Comments are closed.