Odisha Link
Bridging the Missing Links in Odisha

ଆସନ୍ତାକାଲି ପାଟକୁରାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା : ପ୍ରଚାର ପାଇଁ ମଝିରେ ଆଉ ମାତ୍ର ୨ ଦିନ । ଆସନ୍ତା ୨୦ରେ ଭୋଟ୍ ଦେବେ ପାଟକୁରାବାସୀ । ତେଣୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାରେ ରୋଡ୍ ଶୋ କରି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ମାଗିବେ ଭୋଟ୍ । ତେବେ ପାଟକୁରା ଭୋଟରଙ୍କ ଉପରେ ଏଥର କୌଣସି ମ୍ୟାଜିକ କାମ କରିବନି ବୋଲି ଦମ୍ଭର ସହ କହିଛନ୍ତି ବିଜେପି ଏବଂ କଂଗ୍ରେସ ।
କାଲି ପାଟକୁରା ଆସୁଛନ୍ତି ନବୀନ । ହାଇଟେକ୍ ବସ୍‌ରେ ବୁଲି ବୁଲି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ବିଜେଡି ସୁପ୍ରିମୋ । ଲିଫ୍ଟ ଯୋଗେ ବସ୍ ଭିତରୁ ବାହାରି ଭୋଟରଙ୍କୁ ସମ୍ବୋଧନ କରିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ ପାଇଁ ଚଳଚଞ୍ଚଳ ବିଜେଡି କ୍ୟାମ୍ପ । କାଲି ସକାଳ ୧୦ଟାରେ କେନ୍ଦ୍ରାପଡା ବାରିମୂଳ ପଞ୍ଚାୟତ ପଡିଆରେ ହେଲିକାପ୍ଟର ଯୋଗେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ସ୍ବତନ୍ତ୍ର ବସ୍ ଯୋଗେ ବେଣୀପୁର, ଏଣ୍ଡର, ଲକ୍ଷ୍ମୀନାରାୟଣପୁର, ଡେରାବିଶ, ପଲେଇ, ଚାନ୍ଦୋଳ, ଖମୋଳ ଆଦି ପଞ୍ଚାୟତରେ ରୋଡ୍ ଶୋ କରିବେ । ମଧ୍ୟାହ୍ନ ଭୋଜନ ପରେ ମୁଖ୍ୟମନ୍ତ୍ରୀ ଗରଦପୁର ବ୍ଲକ୍ ଗସ୍ତରେ ଯିବେ। ଗରଦପୁର ବ୍ଲକର ୧୦ ଗୋଟି ଏବଂ ମାର୍ଶ।ଘାଇ ବ୍ଲକର ସମସ୍ତ ପଂଚାୟତରେ ମୁଖ୍ୟମନ୍ତ୍ରୀଙ୍କ ବସ୍ ବୁଲିବାର କାର୍ଯ୍ୟକ୍ରମ ରହିଛି ।
ସାଧାରଣ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନ କେନ୍ଦ୍ରାପଡାରେ ରହି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ । କେନ୍ଦ୍ରାପଡାର ୪ଟି ଯାକ ବିଧାନସଭା ଏବଂ ଲୋକସଭା ଆସନ ବିଜେଡି ପକେଟକୁ ଯିବା ପରେ ସମୀକ୍ଷକମାନେ ଏହାକୁ ନବୀନ ମ୍ୟାଜିକ୍ ବୋଲି କହିଲେ । ଚଳିତଥର ମଧ୍ୟ ଭୋଟରଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରଭାବ ପଡିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେବେ ସଚେତନ ପାଟକୁରା ଭୋଟର ନିଜ ପ୍ରତିନିଧି ଚୟନ କରିବା ନେଇ ମନ ସ୍ଥିର କରି ସାରିଛନ୍ତି ବୋଲି ବିଜେପି କହିଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର କୌଣସି ପ୍ରଭାବ ଭୋଟରଙ୍କ ଉପରେ ପଡିବ ନାହିଁ ବୋଲି କହିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତର ପ୍ରଭାବ ପ୍ରକୃତରେ ଭୋଟରଙ୍କ ଉପରେ କେତେ ପଡୁଛି ତାହା ଆସନ୍ତା ୨୪ରେ ହିଁ ଜଣା ପଡିବ।

Comments are closed.