Odisha Link
Bridging the Missing Links in Odisha

ନିଯୁକ୍ତି ନେଇ ବିଧାନସଭାରେ ସ୍ୱର ଉଠାଇଲେ ତାରା

ଭୁବନେଶ୍ବର : ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ଫର୍ମାଟ୍ ଲାଗୁ କରିବା ପାଇଁ ବିଧାନସଭାରେ ଉଠିଲା ଦାବି । ଆନ୍ଧ୍ରପ୍ରଦେଶରେ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ ସ୍ଥାନୀୟ ଯୁବକ ଏବଂ ଯୁବତୀଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶାରେ ଏମଓୟୁକୁ ଉଲ୍ଲଂଘନ କରି ମାତ୍ର ୧୦ ପ୍ରତିଶତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି । ସେଥିପାଇଁ ଓଡିଶାରେ ଆନ୍ଧ୍ରପ୍ରଦେଶର ଫର୍ମାଟ୍ ଲାଗୁ କରିବା ନେଇ ସରକାରଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।
ଆଜି ଗୃହରେ ନିଯୁକ୍ତି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଆନ୍ଧ୍ରପ୍ରଦେଶରେ ସ୍ଥାନୀୟ ଯୁବକ ଏବଂ ଯୁବତୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି । କିନ୍ତୁ ଓଡିଶାରେ କୌଣସି ସଂସ୍ଥାନରେ ବି ଚାକିରି ମିଳୁନି । ଅଧିକାଂଶ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି, ଓଡିଶାରେ ଯେଉଁ ସୁଯୋଗ ରହିଛି, ସେଗୁଡିକୁ ରାଜ୍ୟ ସରକାର ଉତ୍ସାହିତ କରୁନାହାନ୍ତି । ତେବେ ଏନେଇ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

Comments are closed.