Odisha Link
Bridging the Missing Links in Odisha

ଶାହାଜାହାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୬ ମୃତ

ଶାହାଜାହାନପୁର: ଉତ୍ତର ପ୍ରଦେଶର ଶାହାଜାହାନପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ପ୍ରଥମେ ଗୋଟିଏ ଅଟୋ ଏବଂ ଭ୍ୟାନ୍‌କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଆଜି ସକାଳୁ ଜମକା କ୍ରସିଂ ଠାରେ ଏକ ଦ୍ରୁତଗାମୀ ଟ୍ରକ୍‌ ଯାଉଥିଲା। ତେବେ ଏହା ଭାରସାମ୍ୟ ହରାଇ ପ୍ରଥମେ ଗୋଟିଏ ଅଟୋକୁ ଧକ୍କା ଦେଇଥିଲା। ଏହା ରାସ୍ତାରୁ ଛିଟିକି ପଡ଼ିବା ପରେ ଟ୍ରକ୍‌ଟି ଆଉ ଗୋଟିଏ ଭ୍ୟାନ୍‌କୁ ଧକ୍କା ଦେଇଥିଲା।

ଏହା ନିକଟସ୍ଥ ଏକ ଘାଇକୁ ଖସି ପଡ଼ିଥିଲା। ଶେଷରେ ଟ୍ରକ୍‌ଟି ମଧ୍ୟ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୧୬ ଜଣଙ୍କ ଜୀବନ ଚାଲିଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ଜଣ ଶିଶୁ ରହିଛନ୍ତି। ଭ୍ୟାନ୍‌ରେ ଥିବା ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକ ପ୍ରକାଶ କରିବା ସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।

Comments are closed.