Odisha Link
Bridging the Missing Links in Odisha

ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ରାଜ୍ୟରେ ଅଧିକ ପ୍ରକଳ୍ପ ଦାବି କଲେ ମନ୍ତ୍ରୀ

ଭୁବନେଶ୍ୱର :ଭିନ୍ନକ୍ଷମ ଶିଶୁମାନଙ୍କ ସବୁମତେ ଅଭିବୃଦ୍ଧି ଉଦ୍ଦେଶ୍ୟରେ ଓଡ଼ିଶାରେ ଦୁଇଟି ପ୍ରାକ୍‌-ଶୈଶବ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ସହିତ ଭୁବନେଶ୍ୱରଠାରେ ଭିନ୍ନକ୍ଷମମାନଙ୍କ ପାଇଁ ଏକ କ୍ରୀଡ଼ା କେନ୍ଦ୍ର ସ୍ଥାପନ କରିବା ସକାଶେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ପୂର୍ବାହ୍ନରେ ନୂଆଦିଲ୍ଲୀଠାରେ କେନ୍ଦ୍ର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରାଳୟ ଆନୁକୂଲ୍ୟରେ ଅନୁଷ୍ଠିତ କେନ୍ଦ୍ରୀୟ ପରାମର୍ଶଦାତା ବୋର୍ଡର ତୃତୀୟ ବୈଠକରେ ଯୋଗଦେଇ ମନ୍ତ୍ରୀ ପଣ୍ଡା ରାଜ୍ୟରେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ କେନ୍ଦ୍ର ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଥାବର ଚାନ୍ଦ ଗେହ୍‌ଲୋଟ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମନ୍ତ୍ରୀ ପଣ୍ଡା କହିଥିଲେ ଯେ ଓଡ଼ିଶା ପକ୍ଷରୁ ୨୦୧୮-୧୯ରେ ରାଜ୍ୟରେ ଆଉ ୩ଟି ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି ଓ ଏହା ଉପରେ କେନ୍ଦ୍ର ସରକାର ତ୍ୱରିତ ପଦକ୍ଷେପ ନିଅନ୍ତୁ। ଓଡ଼ିଶାରେ ସାର୍ବଜନୀନ ଭିନ୍ନକ୍ଷମ ପରିଚୟ ପତ୍ର ପ୍ରଦାନ ବ୍ୟବସ୍ଥା ଅଧିକ ଅଗ୍ରଗତି କରିଛି ବୋଲି ମନ୍ତ୍ରୀ କହିଥିଲେ। ସେହି ପରି ‘ଆସେସିବୁଲ୍‌ ଇଣ୍ଡିଆ’ ଯୋଜନାରେ ରାଜ୍ୟର ସରକାରୀ କୋଠାବାଡ଼ିକୁ ଭିନ୍ନକ୍ଷମମାନଙ୍କ ଯାତାୟତ ଏବଂ ପ୍ରବେଶ ସୁଗମ କରିବା ଉଦ୍ଦେଶ୍ୟରେ ରାମ୍ଫ ଅଗ୍ରଗତି କରିଛି । ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ୨୦୩ଟି ସରକାରୀ କୋଠା ମଧ୍ୟରୁ ୧୧୭ଟିରେ ରାମ୍ଫ ନିର୍ମାଣ ସଂପନ୍ନ ହୋଇଛି ଏବଂ ସେଥି ପାଇଁ ରାଜ୍ୟ ବଜେଟ୍‌ରୁ ବ୍ୟୟ କରଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସୋସିଆଲ୍‌ ଅଡିଟ୍‌ ପାଇଁ ‘ସୋସାଇଟି ଫର ସୋସିଆଲ୍‌ ଅଡିଟ୍‌, ଏକାଉଣ୍ଟେବିଲିଟି ଆଣ୍ଡ ଟ୍ରାନ୍ସ ପାରେନ୍ସି’ (ଓସାଟ୍‌)କୁ ନିୟୋଜିତ କରାଯାଇଛି ।

ମନ୍ତ୍ରୀ ପଣ୍ଡା ରାଜ୍ୟ ସରକାରଙ୍କ ଦ୍ୱାରା ଭିନ୍ନକ୍ଷମ ଅଧିକାର ନିୟମାବଳୀ-୨୦୧୮ ପ୍ରଣୟନ କରାଯାଇଛି ଓ୨୦୧୮ରେ ରାଜ୍ୟ ଉପଦେଷ୍ଟା ବୋର୍ଡ ଗଠନ କରାଯାଇଛି ବୋଲି ତଥ୍ୟ ରଖିବା ସହିତ ଓଡ଼ିଶାରେ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ପେନ୍‌ସନ୍‌ ପ୍ରଦାନ ବ୍ୟବସ୍ଥାରେ ଉଲ୍ଲେଖଯୋଗ୍ୟ ପ୍ରଗତି ହୋଇଛି ବୋଲି ପ୍ରକାଶ କରିଥିଲେ।ବୈଠକରେ ପରାମର୍ଶଦାତା ବୋର୍ଡର ସଦସ୍ୟମାନଙ୍କ ସମେତ ବିଭିନ୍ନ ରାଜ୍ୟର ବିଭାଗୀୟ ମନ୍ତ୍ରୀ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.