Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ଭେଟା ଭେଟି ରାଜନୀତି, ଫଳାଫଳକୁ ଅପେକ୍ଷା

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି ଏବେ ଦିଲ୍ଲୀ ଦରବାରରେ। ମହରାଷ୍ଟ୍ରରେ କିଏ ଗଢ଼ିବ ସରକାର ସେ ନେଇ ଦିଲ୍ଲୀରୁ ନିଷ୍ପତ୍ତି ନିଆହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଦେଶରେ ଚର୍ଚ୍ଚାର ବିଷୟ ମହାରାଷ୍ଟ୍ରର ଭେଟାଭେଟି ରାଜନୀତି। ବିଜେପି, ଏନସିପି, କଂଗ୍ରେସ ଓ ଶିବସେନାର ଭେଟା ଭେଟି କାର୍ଯ୍ୟକ୍ରମ ମହାରାଷ୍ଟ୍ର ରାଜନୀତିକୁ ରୋମାଞ୍ଚକର ସ୍ଥିତିକୁ ନେଇ ଆଣିଛି। ଦିନକୁ ଦିନ ଭେଟା ଭେଟି ରାଜନୀତି ଜମୁଛି ହେଲେ ଫଳାଫଳ ଏପର୍ଯ୍ୟନ୍ତ ଆସିପାରୁ ନାହିଁ।

ଫଡନାଭିସ୍‌-ଶାହ ସାକ୍ଷାତ:
ଆଜି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି। ସେ ଶାହଙ୍କ ସହ ମହାରାଷ୍ଟ୍ର ରାଜନୀତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ବିଜେପିର ସହଯୋଗୀ ଶିବସେନା ମୁଖ୍ୟମନ୍ତ୍ରୀ ପଦକୁ ପାଇଁ ଜିଦ୍‌ ଧରି ବସିଥିବାରୁ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ସଙ୍କଟ ଜାରି ରହିଛି। ମହାରାଷ୍ଟ୍ରର ରାଜନୀତିକ ସ୍ଥିତି ସମ୍ପର୍କରେ ଫଡନାଭିସ୍‌ ଆଜି ସାକ୍ଷାତ ସମୟରେ ଶାହଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି। ତେବେ ଫଡନାଭିସ୍‌ ଗଣମାଧ୍ୟମ ଆଗରେ ମହାରାଷ୍ଟ୍ର କ୍ଷମତା ଯୁଦ୍ଧ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ତେବେ ବିଜେପି ହିଁ ମହାରାଷ୍ଟ୍ରରେ ନୂଆ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି କରିଛନ୍ତି।

ସେ କହିଛନ୍ତି, “ମୁଁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ଚାଷୀ ସମସ୍ୟା ସମ୍ପର୍କରେ ଆଲୋଚନା କରିଛି। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ମାନଙ୍କୁ କେମିତି ସହଯୋଗ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଛି।” ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ମତ ଦେଇ ସେ କହିଛନ୍ତି, “ମହାରାଷ୍ଟ୍ର ରାଜନୀତି ବିଷୟରେ ମୁଁ କିଛି କହିବି ନାହିଁ। କିନ୍ତୁ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ଆମେ ମହାରାଷ୍ଟ୍ରରରେ ସରକାର ଗଠନ କରିବୁ। ଏହାକୁ ନେଇ ମୁଁ ନିଶ୍ଚିତ ରହିଛି। ଏଥିରେ କେହି ବି ସନ୍ଦେହ ପ୍ରକାଶ କରିବା ଉଚିତ୍ ନୁହେଁ।”

ଶିବସେନା-ରାଜ୍ୟପାଳ ସାକ୍ଷାତ:
ଚଳିତ ବିଧାନସଭାର କାର୍ଯ୍ୟକାଳ ଶେଷ ହେବାକୁ ଆଉ ୫ ଦିନ ବାକି ରହିଛି। ନିର୍ବାଚନରେ ବିଜେପି ସର୍ବାଧିକ ଆସନ ଜିତିଥିଲେ ହେଁ ଶିବସେନା ସହଯୋଗ କରୁ ନଥିବାରୁ ଦଳ ସରକାରୀ ଗଠନ କରିବାକୁ ନେଇ ବ୍ୟାକଫୁଟରେ ରହିଛି। ଫଳାଫଳ ବାହାରିବା ପରେ ରାଜ୍ୟପାଳଙ୍କୁ ତିନି ଥର ଭେଟିଥିବା ଶିବସେନା ଆଜି ପୁଣିଥରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛି। ଶିବସେନା ନେତା ସଞ୍ଜୟ ରାଉତ ଏବଂ ରାମଦାସ କଦମ ଆଜି ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି।

ଭେଟଘାଟ ପରେ ସଞ୍ଜୟ ରାଉତ କହିଛନ୍ତି ଯେ, ଶିବସେନା ଚାହୁଁଛି ରାଜ୍ୟରେ ଯିଏ ହେଉ ସରକାର ଗଢ଼ୁ, ଆମେ କାହାର ଗତିରୋଧ କରିବାକୁ ଚାହୁଁନୁ। ଯାହା ପାଖରେ ବହୁମତ ରହିବ ସେ ହିଁ ସରକାର ଗଢ଼ିବ ବୋଲି କହିଛନ୍ତି ସଞ୍ଜୟ। ଏହି ଅବସରରେ ନିର୍ବାଚନ ଫଳାଫଳ ପରେ ରାଜ୍ୟର ପରିବର୍ତ୍ତୀତ ରାଜନୀତିକ ସମୀକରଣ ବାବଦରେ ରାଜ୍ୟପାଳଙ୍କ ସହ ଆଲୋଚନା ହୋଇଥିବା ସଞ୍ଜୟ ରାଉତ କହିଛନ୍ତି। ରାଜ୍ୟପାଳଙ୍କୁ ମୁଁ ପରାମର୍ଶ ଦେଇପାରିବି ନାହିଁ। ସରକାର ଗଢ଼ିବା ପାଇଁ କାହାକୁ ଡ଼କାଯିବ ସେ ନିଷ୍ପତ୍ତି ରାଜ୍ୟପାଳଙ୍କର ବୋଲି ସଞ୍ଜୟ ରାଉତ କହିଛନ୍ତି।

ଶରଦ-ସୋନିଆ ସାକ୍ଷାତ:
ସେହିପରି ଏନ୍‌ସିପି ମଧ୍ୟ ସରକାର ଗଠନ କରିବାକୁ କସରତ ଆରମ୍ଭ କରିଦେଇଛି। ଆଜି ନୂଆଦିଲ୍ଲୀରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ଏନସିପି ନେତା ଶରଦ ପାଓ୍ବାର। ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ହୋଇଛନ୍ତି ଶରଦ। ସେ ସୋନିଆଙ୍କ ସହ ଦୀର୍ଘ ସମୟ ଦୀର୍ଘ ସମୟ ଧରି ମହାରାଷ୍ଟ୍ର ରାଜନୀତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

ସୋନିଆଙ୍କୁ ସାକ୍ଷାତ କରିବା ପରେ ଶରଦ ପାୱାର କହିଛନ୍ତି, “ମୁଁ ଆଜି କଂଗ୍ରେସ ମୁଖିଆଙ୍କୁ ଭେଟିଛି। ଦୁଇ ଦଳ ଆଗାମୀ ଦିନରେ ମହାରାଷ୍ଟ୍ରରେ କେଉଁ ଭଳି କାର୍ଯ୍ୟ କରିବେ ସେ ବିଷୟରେ ଆଲୋଚନା କରିଛି। ମୁମ୍ବାଇ କଂଗ୍ରେସ ଓ ଏନ୍‌ସିପି ନେତାମାନେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ଆମେ ଆଗକୁ କ’ଣ କରିବୁ, ତା’ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇଛି। କଂଗ୍ରେସ ନେତୃବୃନ୍ଦ ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପୁଣିଥରେ ସବୁ କିଛି ବିଚାର କରିବେ ବୋଲି ମୋର ଆଶା।”

ସୂଚନାଥାଉକି, ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି। କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି। ତେଣୁ ଶିବସେନାକୁ ଏହି ଏନସିପି-କଂଗ୍ରେସ ମେଣ୍ଟ ସମର୍ଥନ କରିବ ତାହେଲେ ଶିବସେନା ସରକାର ଗଢ଼ିପାରିବ। ଏଥିସହ ୨୯ ଅନ୍ୟାନ୍ୟ ବିଧାୟକଙ୍କ ମଧ୍ୟରୁ କିଛି ଶିବସେନାକୁ ସମର୍ଥନ ଦେଇସାରିଛନ୍ତି।

Comments are closed.