Odisha Link
Bridging the Missing Links in Odisha

ଦୁଇ ଦିନିଆ ୟୁଏଇ ଗସ୍ତରେ ଧର୍ମେନ୍ଦ୍ର

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନଭେମ୍ବର ୧୦ରୁ ୧୨ ପର୍ଯ୍ୟନ୍ତ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସହ ଏହି ଅବସରରେ ଉଚ୍ଚସ୍ତରୀୟ ସରକାରୀ ଅଧିକାରୀ ଟିମ୍‌ ଏବଂ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ବିଦେଶ ଗସ୍ତରେ ସାମିଲ ହୋଇଛନ୍ତି। ୟୁଏଇ ମନ୍ତ୍ରୀ ସୁଲତାନ ଅହମ୍ମଦ ଅଲ୍‌ ଜାବେରଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତା ୧୧ରେ ଅନୁଷ୍ଠିତ ହେବାକୁ ଥିବା ଅବୁଧାବୀ ଅନ୍ତଃରାଷ୍ଟ୍ରୀୟ ପେଟ୍ରୋଲିୟମ୍‌ ପ୍ରଦର୍ଶନୀ ଏବଂ ସମ୍ମିଳନୀ(ଆଡିପେକ୍)ରେ ଧର୍ମେନ୍ଦ୍ର ଯୋଗଦେବେ। ଏକ ମନ୍ତ୍ରୀସ୍ତରୀୟ ବୈଠକରେ ସେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଧର୍ମେନ୍ଦ୍ର ଏବଂ ୟୁଏଇ ମନ୍ତ୍ରୀ ସୁଲତାନ ଅହମ୍ମଦ୍‌ ଅଲ୍‌ ଜାବେର୍‌ ଉଭୟ ଏଫଆଇପିଆଇ, ଡିଜିଏଚ୍‌ ଏବଂ ସିଆଇଆଇ ସହଯୋଗରେ ଆୟୋଜିତ ଭାରତ ପ୍ୟାଭିଲିୟନକୁ ଉଦ୍ଘାଟନ କରିବେ।

ଏହି ଅବସରରେ ଡିଜିଏଚ୍‌ ପକ୍ଷରୁ ଭାରତର ଅନ୍ବେଷଣ ଓ ଉତ୍ପାଦନ ଏବଂ ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ଏକ ରୋଡ୍‌ ଶୋ ଆୟୋଜନ କରାଯିବ। ୟୁଏଇ ଉର୍ଜା ଏବଂ ଶିଳ୍ପମନ୍ତ୍ରୀଙ୍କୁ ଭେଟି ହାଇଡ୍ରୋକାର୍ବନ, ଇସ୍ପାତ କ୍ଷେତ୍ର ସମ୍ବନ୍ଧରେ ଆଲୋଚନା କରିବା ସହ ଦୁଇ ଦେଶ ମଧ୍ୟରେ ଚାଲୁଥିବା ସମସ୍ତ ବ୍ୟବସାୟିକ କାମ ଉପରେ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ରହିଛି। ଆଡିପେକ୍‌ ୨୦୧୯ କାର୍ଯ୍ୟକ୍ରମ ଅଧୀନରେ ଯୋଗଦେଇଥିବା ଅନ୍ତର୍ଜାତୀୟ ଉର୍ଜା ସଙ୍ଗଠନର ମୁଖ୍ୟ ଏବଂ ବିଶ୍ବ ତୈଳ ଓ ଗ୍ୟାସ୍‌ କମ୍ପାନୀର ସିଇଓଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ମଧ୍ୟପୂର୍ବ ଦେଶଗୁଡିକରେ ଇସ୍ପାତ ଯୋଗାଣର ସମ୍ଭାବନା ଉପରେ ମଧ୍ୟ ଧର୍ମେନ୍ଦ୍ର ଗୁରୁତ୍ବାରୋପ କରିଛନ୍ତି।

Comments are closed.