Odisha Link
Bridging the Missing Links in Odisha

ଉତ୍କଳ ବିଶ୍ବବିଦ୍ୟାଳୟରେ ୪ ବର୍ଷିଆ ପିଜି ପାଠ୍ୟକ୍ରମ !

ଭୁବନେଶ୍ବର: ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ଅବଧି ଦୁଇ ବର୍ଷ ଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ଏଥିରେ ବ୍ୟତିକ୍ରମ ସାଜିଛି। ଏଠାରେ ପିଜି ପାଠ୍ୟକ୍ରମର ଅବଧିର ବାସ୍ତବିକ ଚିତ୍ର ଚାରି ବର୍ଷ ହୋଇଯାଇଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମ୍‌ଏସ୍‌ସି ନର୍ସିଂ ପାଠ୍ୟକ୍ରମରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଗୋଟିଏ ବର୍ଷ ନୁହେଁ, ଲଗାତର ଭାବେ ବର୍ଷ ବର୍ଷ ଧରି ପିଲାଙ୍କ କ୍ୟାରିୟର୍ ସହ ଏମିତି ସାଂଘାତିକ ଖେଳ ଖେଳୁଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ପରୀକ୍ଷା ପରିଚାଳନାରେ ବ୍ୟାପକ ବିଭ୍ରାଟ ଯେପରି ବିଶ୍ବବିଦ୍ୟାଳୟର ନାମ ସହ ଯୋଡ଼ି ହୋଇଯାଇଛି।

ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ସରକାର ଅଗ୍ରାଧିକାର ଦେଉଥିଲା ବେଳେ ଏଥିରେ ନର୍ସିଂ ଶିକ୍ଷା ପ୍ରତି ଗୁରୁତ୍ବ ଦିଆଯାଉଛି। ଏବେ ମୋଟ ୬୬ଟି ଅନୁଷ୍ଠାନ ବିଏସ୍‌ସି ନର୍ସିଂ, ପିବିବିଏସ୍‌ସି ନର୍ସିଂ ଓ ଏମ୍‌ଏସ୍‌ସି ନର୍ସିଂ ପାଠ୍ୟକ୍ରମରେ ଶିକ୍ଷାଦାନ କରୁଛନ୍ତି। ଏହା ମଧ୍ୟରୁ ୧୦ଟି ଶିକ୍ଷାନୁଷ୍ଠାନ ଏମ୍‌ଏସ୍‌ସି ନର୍ସିଂ ପାଠ୍ୟକ୍ରମରେ ଶିକ୍ଷାଦାନ କରୁଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟ ସଂକ୍ରାନ୍ତୀୟ କଲେଜ ସଂଖ୍ୟା‌ ବଢ଼ିଚାଲିଥିଲେ ବି ସ୍ବାସ୍ଥ୍ୟ ବିଭାଗର ଅପାରଗତା ଯୋଗୁ ଏ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଆରମ୍ଭ ହୋଇପାରୁ ନାହିଁ। ଫଳରେ ସ୍ବାସ୍ଥ୍ୟ ସଂକ୍ରାନ୍ତୀୟ ପାଠ୍ୟକ୍ରମଗୁଡ଼ିକ ରାଜ୍ୟରେ ଥିବା ଅନ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକ ଅଧୀନରେ ପରିଚାଳିତ ହେଉଛି। ଏହାର ସୁଯୋଗ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମନମାନି ଚଳାଇଛନ୍ତି। ଏମ୍‌ଏସ୍‌ସି ନର୍ସିଂ ‌ପାଠ୍ୟକ୍ରମ କ୍ଷେତ୍ରରେ ଉତ୍କଳ ବିଶ୍ବବିଦ୍ୟାଳୟର ଚରମ ଅବହେଳା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

୨୦୧୬-୧୭ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ୨୦୧୮ରେ ଚୂଡ଼ାନ୍ତ ପରୀକ୍ଷା‌ ଦେଇ ସାର୍ଟିଫିକେଟ୍‌ ପାଇବା ବେଳେ ସେମାନଙ୍କ ଚୂଡ଼ାନ୍ତ ପରୀକ୍ଷା ଏବେ ଶେଷ ହୋଇଛି। କିନ୍ତୁ ଫଳ ପ୍ରକାଶ ପାଇନାହିଁ। ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇ ସାର୍ଟିଫିକେଟ୍‌ ମିଳିଲା ବେଳକୁ ୨୦୨୦ ହେବ। ସେହିପରି ୨୦୧୭-୧୮ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ଚୂଡ଼ାନ୍ତ ପରୀକ୍ଷା ୨୦୧୯ରେ ହେବା କଥା। କିନ୍ତୁ ଏବେ ସେମାନଙ୍କ ପ୍ରଥମ ବର୍ଷ ପରୀକ୍ଷା ଚାଲିଛି। ୨୦୧୫ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ୨୦୧୮ ଶେଷ ଭାଗରେ ହେଲା। ସେମାନଙ୍କ ଫଳ ପ୍ରକାଶ ପାଇ ସାର୍ଟିଫିକେଟ୍‌ ଚଳିତ ବର୍ଷ ମିଳିଲା। ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏପରି ଚରମ ଅବହେଳା ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ପାଖାପାଖି ଦୁଇ ବର୍ଷ ବରବାଦ ହେଉଛି। କେବଳ ଏମ୍‌ଏସ୍‌ସି ନର୍ସିଂ ନୁହେଁ, ପିବିବିଏସ୍‌ସି ନର୍ସିଂରେ ମଧ୍ୟ ସମାନ ସ୍ଥିତି। ଏହି ଦୁଇ ବର୍ଷିଆ ପାଠ୍ୟକ୍ରମ ଶେଷ କରିବା ପାଇଁ ପିଲାଙ୍କୁ ୩ ବର୍ଷରୁ ଅଧିକ ସମୟ ଲାଗିଯାଉଛି କିନ୍ତୁ ସାର୍ଟିଫିକେଟ୍‌ ପଛୁଆ ତାରିଖରେ ଇସ୍ୟୁ କରାଯାଉଛି ଏବଂ ସେହି ସାର୍ଟିଫିକେଟ୍‌ରେ ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତ ନିକଟରେ ତାରିଖ ପଡ଼ୁନାହିଁ। ନିଜ ଦୁର୍ବଳତାକୁ ଘୋଡ଼ାଇବା ପାଇଁ କର୍ତ୍ତୃପକ୍ଷଙ୍କ ଏହା ଏକ ଚାଲ୍‌ ବୋଲି କୁହାଯାଉଛି। ଏହା ଦ୍ବାରା ବିଶ୍ବବିଦ୍ୟାଳୟର ସୁନାମରେ ଆଞ୍ଚ୍ ଆସିବା ସହ ବାରମ୍ବାର ଏହି ବିଭ୍ରାଟ ସମ୍ପର୍କରେ ଅଭିଯୋଗ ହେଉଥିଲେ ବି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତାହାର ସମାଧାନ ପାଇଁ ତତ୍ପରତା ପ୍ରକାଶ ନ କରିବା ଆହୁରି ଆଶ୍ଚର୍ଯ୍ୟଜନକ।

Comments are closed.