Odisha Link
Bridging the Missing Links in Odisha

ଶିବସେନାର ବରିଷ୍ଠ ନେତା ଅସୁସ୍ଥ, ବିଧାୟକଙ୍କ ପାଇଁ କଂଗ୍ରେସ ପଠାଇଲା ଚାଟାର୍ଡ ପ୍ଲେନ

ମୁମ୍ବାଇ: ଗୋଟିଏ ପଟେ ଶିବସେନା ସରକାର ଗଠନ କରିବା ପାଇଁ ଉଦ୍ୟମ ଚଲାଇଥିବା ବେଳେ ଶିବସେନାର ଟାଣୁଆ ତଥା ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି। ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସଞ୍ଜୟଙ୍କ ସ୍ୱାସ୍ଥ୍ୟବସ୍ଥା ଏଭଳି ସମୟରେ ଖରାପ ହୋଇଛି ଯେତେବେଳେ ରାଜ୍ୟପାଳ ଶିବସେନାକୁ ସରକାର ଗଢିବା ପାଇଁ ସୁଯୋଗ ଦେଇଛନ୍ତି। ସନ୍ଧ୍ୟା ୭.୩୦ ସୁଦ୍ଧା ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ଶିବସେନା ନିଜର ଆଭିମୁଖ୍ୟ ଜଣାଇବାକୁ ପଡିବ। ତେବେ ଶିବସେନା ସହ ମିଶି ସରକାର ଗଠନ ନେଇ ଏଯାଏଁ ଗ୍ରୀନ୍ ସିଗନାଲ୍ ଦେଇନାହାନ୍ତି ଏନସିପି-କଂଗ୍ରେସ। ଏହାପୂର୍ବରୁ ବଡ଼ ଦଳ ଭାବେ ବିଜେପିକୁ ପ୍ରଥମେ ସରକାର ଗଢିବାକୁ ସୁଯୋଗ ଦେଇଥିଲେ ରାଜ୍ୟପାଳ। ତେବେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ସରକାର ଗଢିବାକୁ ମନା କରିଥିଲା ବିଜେପି।

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଯେଉଁ ଉଦ୍ୟମ ଚାଲିଛି ସେଥିରେ ଶିବସେନାକୁ ଫ୍ରଣ୍ଟଫୁଟରେ ରଖିଛନ୍ତି ସଞ୍ଜୟ। ବିଜେପିକୁ ସିଧାସଳଖ ଟାର୍ଗେଟ କରିବା ହେଉ ବା ସରକାର ଗଠନ ପାଇଁ ଏନସିପି ସହ ଆଲୋଚନା, ପ୍ରତ୍ୟେକ କ୍ଷେତ୍ରରେ ସଞ୍ଜୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା। ଅପରପକ୍ଷେ, ସନ୍ଧ୍ୟା ୬ଟାରେ ରାଜ୍ୟପାଳଙ୍କୁ ଭେଟିବାକୁ ଶିବସେନାର ଏକ ପ୍ରତିନିଧି ଦଳ ଯିବାକୁ ଥିବା ବେଳେ ଏହାପୂର୍ବରୁ କଂଗ୍ରେସ ନିଜର ଦଳୀୟ ବିଧାୟକଙ୍କୁ ଜୟପୁରରୁ ମୁମ୍ବାଇକୁ ଆଣିବା ପାଇଁ ଚାଟାର୍ଡ ପ୍ଲେନ ପଠାଇଛି।

Comments are closed.