Odisha Link
Bridging the Missing Links in Odisha

କାଲିଠୁ ଭାରତ-ବାଂଲା ଟେଷ୍ଟ ସିରିଜ୍‌, ବିରାଟ କହିଲେ ବିଜୟ ପ୍ରଦର୍ଶନ..

ଇନ୍ଦୋର: କାଲିଠୁ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଇନ୍ଦୋରର ହୋଲକର୍ ଷ୍ଟାଡିୟମରେ ଖେଳାଯିବ। ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜକୁ କ୍ଲିନସୁଇପ୍ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ବିରାଟ ଟେଷ୍ଟ ଶୃଙ୍ଖଳା ପୂର୍ବରୁ କହିଛନ୍ତି, ଟିମ୍‌ ଇନ୍ଦୋରରେ ଖେଳୁ ଅଥବା ଆଉ କେଉଁଠି ଖେଳୁ, ବିଜୟ ପ୍ରଦର୍ଶନ ବଳରେ ହିଁ ମିଳିଥାଏ। ବିରାଟ କୋହଲି ବୁଧବାର ଶୃଙ୍ଖଳା ଆରମ୍ଭର ଗୋଟିଏ ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତ ପଡ଼ିଆକୁ ଓହ୍ଲାଇ ଗଲେ ମ୍ୟାଚ୍‌ ଜିତିବ ନାହିଁ। ଏଥି ପାଇଁ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ଅଛି। ଇନ୍ଦୋରରେ ଯଦିଓ ଆମେ କେବେ ହାରିନାହୁଁ, ତଥାପି ଭଲ ଖେଳିବାକୁ ପଡ଼ିବ।

ସେ କହିଛନ୍ତି, ଆମେ କୌଣସି ଟିମ୍‌କୁ ହାଲୁକା ଭାବେ ନେଇପାରିବୁ ନାହିଁ। ଯେକୌଣସି ଟିମ୍‌ ଭଲ ପ୍ରଦର୍ଶନ କରିପାରିବ। ଯଦିଓ ଟି-୨୦ରେ ଆମେ ଶୃଙ୍ଖଳା ଜିତିଛୁ ତଥାପି ବାଂଲାଦେଶର ବୋଲରମାନେ ଭଲ ପ୍ରଦର୍ଶନ କରୁଛନ୍ତି ଓ ସେମାନଙ୍କୁ ହାଲୁକା ଭାବେ ନିଆଯିବ ନାହିଁ।

ଆଗରେ ଟିମ୍‌ ଇଣ୍ଡିଆ:
ଟିମ୍ ଇଣ୍ଡିଆ କ୍ୟାପଟେନ୍ କୋହଲି ଟେଷ୍ଟ କ୍ରିକେଟରେ ୨୬ ଶତକ ମାରିଥିବା ବେଳେ ଆଜିଙ୍କ୍ୟ ରାହାଣେଙ୍କ ନାମରେ ୧୧ ଶତକ ଏବଂ ଚେତେଶ୍ୱର ପୂଜାରାଙ୍କ ନାଁରେ ୧୮ ଶତକ ରହିଛି। ଏହି ତିନି କ୍ରିକେଟରଙ୍କ ନାଁରେ ୫୦ରୁ ଅଧିକ ଶତକ ରହିଛି, ଯାହାଙ୍କ ଉପରେ ଅଙ୍କୁଶ ଲଗାଇବା ଭ୍ରମଣକାରୀ ଦଳର ବୋଲର ମୁସ୍ତାଫିଜୁର ରେହମାନ୍‌, ତାଇଜୁଲ୍ ଇସଲାମ୍ ଏବଂ ମେହଦି ହାସନ୍ ମିରାଜଙ୍କ ପକ୍ଷେ କଠିନ ହେବ। ଏହା ବ୍ୟତୀତ ବାଂଲାଦେଶର ଏହି ଶୀର୍ଷ ବୋଲରଙ୍କୁ ମୟଙ୍କ ଅଗ୍ରୱାଲ୍ ଓ ରୋହିତ୍ ଶର୍ମାଙ୍କୁ ରୋକିବାକୁ ପଡ଼ିବ। ଉଭୟ ରୋହିତ୍ ଓ ମୟଙ୍କ ଯଦି ସେଟ୍ ହୁଅନ୍ତି, ତାହେଲେ ସେମାନେ ବିଶ୍ୱର କୌଣସି ବୋଲିଂ ଆକ୍ରମଣକୁ ଧୂଳି ଚଟାଇ ପାରିବେ।

ଟିମ୍‌ ବାଂଲାଦେଶର ସ୍ଥିତି:
ତମିମ୍ ଇକବାଲ୍ ଓ ସାକିବ୍ ଅଲ୍ ହାସନଙ୍କ ବିନା ବାଂଲାଦେଶ ପାଇଁ ବିଜୟ କଳ୍ପନା କରିହେବ ନାହିଁ। ସୀମିତ ଓଭର କ୍ରିକେଟରେ ଉନ୍ନତ ପ୍ରଦର୍ଶନ କରିଥିବା ବାଂଲାଦେଶ ଟିମ୍ ଏହି ପାରମ୍ପରିକ ଫର୍ମାଟରେ ସର୍ବଦା ଦୁର୍ବଳ ସାବ୍ୟସ୍ତ ହୋଇଛି। ଗତ ସିରିଜରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ଭାରତୀୟ ଟିମ୍ ପାଖରେ ବର୍ତ୍ତମାନ ସବୁଠାରୁ ଶ୍ରେଷ୍ଠ ବୋଲିଂ ଆକ୍ରମଣ ଅଛି। ଅନ୍ୟପକ୍ଷରେ ବାଂଲାଦେଶ ଟିମର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କ୍ୟାପଟେନ୍ ମୋମିନୁଲ୍ ହକ୍ ଟେଷ୍ଟ କ୍ରିକେଟରେ ୧୦ରୁ କମ ଶତକ ମାରିଛନ୍ତି। ମୁଶଫିକର ରହିମ୍ ଏବଂ ମହମ୍ମଦୁଲ୍ଲା ରିୟାଦ୍ ବାଂଲାଦେଶ ଟିମର ନିର୍ଭରଯୋଗ୍ୟ କ୍ରିକେଟର, କିନ୍ତୁ ଟେଷ୍ଟ କ୍ରିକେଟ୍ ଫର୍ମାଟ୍ ଦୃଷ୍ଟିରୁ ଦୁହେଁ ସେତେଟା ପ୍ରଭାବୀ ନୁହନ୍ତି।

ପିଚ୍:
ଏଠାକାର ଷ୍ଟାଡିୟମ ବ୍ୟାଟ୍ସମ୍ୟାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ଷ୍ଟାଡିୟମର ବାଉଣ୍ଡ୍ରୀ ବହୁତ ଛୋଟ, କିନ୍ତୁ ପିଚରେ ବାଉନ୍ସ ଦେଖିବାକୁ ମିଳିପାରେ। ମହମ୍ମଦ ଶାମି ଓ ଉମେଶ ଯାଦବ ପେସ୍ ଆକ୍ରମଣ ସମ୍ଭାଳିବେ। ସେହିପରି ରବୀନ୍ଦ୍ର ଜାଡେଜା ଓ ଆର୍ ଅଶ୍ୱିନଙ୍କ ହାତରେ ସ୍ପିନ୍ ଦାୟିତ୍ୱ ରହିବ। ପିଚର ବାଉନ୍ସକୁ ଦୃଷ୍ଟିରେ ରଖି ଈଶାନ୍ତ ଶର୍ମାଙ୍କୁ ତୃତୀୟ ପେସର୍ ଭାବେ ସାମିଲ୍ କରାଯାଇପାରେ।

ଭାରତ: ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ୍‌, ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍‌), ଆଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡେଜା, ଋଦ୍ଧିମାନ ସାହା (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ୍‌, ମହମ୍ମଦ ଶାମି, ଉମେଶ ଯାଦବ, ଈଶାନ୍ତ ଶର୍ମା, କୁଲଦୀପ ଯାଦବ, ଶୁବମାନ ଗିଲ୍‌, ହନୁମା ବିହାରୀ, ଋଷଭ ପନ୍ତ।

ବାଂଲାଦେଶ: ମୋମିନୁଲ୍ ହକ୍ (କ୍ୟାପଟେନ୍‌), ଇମରୁଲ୍ କାୟେସ୍‌, ମୁଶଫିକର ରହିମ୍ (ୱିକେଟକିପର), ମହମ୍ମଦୁଲ୍ଲା ରିୟାଦ, ମହମ୍ମଦ ମିଥୁନ୍‌, ଲିଟନ୍ ଦାସ, ମେହଦି ହାସନ୍ ମିରାଜ୍‌, ମୁସ୍ତାଫିଜୁର୍ ରେହମାନ୍‌, ନଇମ୍ ହାସନ୍‌, ସୈଫ୍ ହାସନ୍‌, ଶାଦମାନ୍ ଇସଲାମ୍‌, ତାଇଜୁଲ୍ ଇସଲାମ୍‌, ଆଦୁ ଜାୟେଦ୍‌, ଇବାଦତ୍ ହୁସେନ୍‌, ମୋସାଡେକ୍ ହୁସେନ୍।

Comments are closed.