Odisha Link
Bridging the Missing Links in Odisha

‘ଆପଣ ମାନେ ଖୁସି ତ?’ କୁ ପୂରିଲା ବର୍ଷେ, ନବୀନ କହିଲେ…

ଭୁବନେଶ୍ବର: ଆଜକୁ ବର୍ଷେ ତଳେ ଅର୍ଥାତ୍‌ ୨୦୧୮ ମସିହା ନଭେମ୍ବର ୨୭ ତାରିଖରେ ଓଡ଼ିଶାରେ ଉଦଘାଟନ ହୋଇଥିଲା ପୁରୁଷ ହକି ବିଶ୍ବକପ୍। ଆଉ ଏହିଦିନ ଓଡ଼ିଶାର ସବୁଠାରୁ ଚର୍ଚ୍ଚିତ ଆଉ ଅଧିକ ବ୍ୟବହୃତ ଡାଇଲଗ୍‌ ‘ଆପଣ ମାନେ ଖୁସି ତ?’ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ପୁରୁଷ ହକି ବିଶ୍ବକପ୍‌ ଆୟୋଜନକୁ ବର୍ଷେ ପୂରିଥିବା ବେଳେ ଆପଣ ମାନେ ଖୁସି ତ ଡାଇଲଗକୁ ମଧ୍ୟ ବର୍ଷେ ପୁରିଛି।

ଓଡିଶାରେ ପୁଣି ହେବ ହକି ବିଶ୍ୱକପ। ଆପଣମାନେ ଖୁସି ତ ? ମୁଁ ବି ବହୁତ ଖୁସି… ୨ୟ ହକି ବିଶ୍ୱକପ ହେବା ନେଇ କିଛି ଏମିତି ଢଙ୍ଗରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୩ ପୁରୁଷ ହକି ବିଶ୍ବକପ୍‌ର ଆୟୋଜନ ଦାୟିତ୍ବ ପୁଣିଥରେ ଓଡ଼ିଶାକୁ ମିଳିଛି। ଆଜି ଏନେଇ ଘୋଷଣା କରିଛି ହକି ଇଣ୍ଡିଆ। ୨୦୧୮ ବିଶ୍ୱକପର ବିପୁଳ ସଫଳତାକୁ ଦୃଷ୍ଟିରେ ରଖି ବୁଧବାର ହକି ଇଣ୍ଡିଆ ଏବଂ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌)ର ସଭାପତି ନରିନ୍ଦର ବାତ୍ରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଏହି ବଡ଼ ଘୋଷଣା କରିଛନ୍ତି।

ତେବେ ୨୦୨୩ରେ ହେବାକୁଥିବା ବିଶ୍ୱକପ୍ କେବଳ ଭୁବନେଶ୍ୱରରେ ଖେଳାଯିବ ନାହିଁ। ବିଶ୍ୱକପର କିଛି ମ୍ୟାଚ୍ ହକି ଗଡ଼ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ମଧ୍ୟ ଆୟୋଜିତ ହେବ। ତେବେ ଏହି ଖବର ପ୍ରସାରିତ ହେବା ପରେ ରାଜ୍ୟରେ ଖୁସିର ଲହରି ଖେଳିଯାଇଛି।

ଗତବର୍ଷ ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ ଏହି ନାରା ପ୍ରଥମେ ଆରମ୍ଭ କରିଥିଲେ ନବୀନ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନବୀନ ନିଜ ମୁହଁରେ ପ୍ରଥମ ଥର ପାଇଁ ଏହି କଥା କହିବା ପରେ କମ୍ପିଥିଲା କଳିଙ୍ଗ । ଆଉ ଗ୍ୟାଲେରୀ ଭିତରୁ ଦର୍ଶକ ବି ଦେଇଥିଲେ ଏହାର ପ୍ରତିଉତ୍ତର।

Comments are closed.